Categories: ରାଜ୍ୟ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା: ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଚାଲିଛି ରାସ୍ତାକାମ

ନୂଆଗାଁ,୫ା୭ (ଡି.ଏନ.ଏ.): ଗରିବ ଲୋକଙ୍କୁ ଶହେ ଦିନର କାମ ଯୋଗାଇଦେବା ପାଇଁ ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ କରିଛନ୍ତି। ଜବ୍‌କାର୍ଡ ମାଧ୍ୟମରେ ଏହା ତ୍ୱରାନ୍ବିତ କରାଯାଉଛି। ନିୟମ ଅନୁସାରେ ଜବ୍‌କାର୍ଡ ଥିବା ଶ୍ରମିକମାନେ କାମ କରିବା ପାଇଁ ନିଜ ନାମକୁ ପଞ୍ଚାୟତରେ ପଞ୍ଜୀକୃତ କରାଇବେ। କାମ କରିବା ପରେ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ସମ୍ପୂର୍ଣ୍ଣ ମଜୁରି ଆସିବ। କିନ୍ତୁ ନୂଆଗାଁ ବ୍ଲକରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଠିକାଦାର ଶ୍ରମିକମାନଙ୍କ ଜବକାର୍ଡକୁ ନିଜ ପାଖରେ ରଖି ସେମାନଙ୍କ ନାମ ପଞ୍ଜୀକୃତ କରି ମେଶିନ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ପର ମୁହୂର୍ତ୍ତରେ ଜବ୍‌କାର୍ଡଧାରୀଙ୍କୁ କିଛି ପାଉଣା ଦେଇ ଜମାଖାତାରୁ ଟଙ୍କା ଉଠାଇ ନେଉଛନ୍ତି। ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତର କଣବାଙ୍କଠାରୁ ବୁରୁଦେଇ, ଖଜୁରିଡିହ ରାସ୍ତା ନିର୍ମାଣ କ୍ଷେତ୍ରରେ ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୮ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ତାହା ଶ୍ରମିକମାନଙ୍କ ଦ୍ୱାରା କରାଇବାର ନିର୍ଦ୍ଦେଶ ଥିଲା। କିନ୍ତୁ ଠିକାଦାର ଶ୍ରମିକଙ୍କ ନାମ ଦର୍ଶାଇ ଜେସିବି ଦ୍ୱାରା କାର୍ଯ୍ୟ କରାଇ ୩ ଲକ୍ଷ ୭୫ ହଜାର ଟଙ୍କା ବିଲ୍‌ ଉଠାଇଥିବା ଜଣାପଡିଛି। ପୁଣି ଜୁନ ୧୫ରୁ ୨୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବା ଓ ପରେ ଆଉ ନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେଶିନ ମାଧ୍ୟମରେ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳିଛି। ନୂଆଗାଁ ବ୍ଲକରେ ଠିକାଦାରମାନଙ୍କ ଏପରି କାର୍ଯ୍ୟକଳାପ ନେଇ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ସେମାନେ କହିଛନ୍ତି। ପୂର୍ବରୁ ଉଦୟପୁର ପଞ୍ଚାୟତରେ ଏପରି ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। କାପ୍ତାପଲ୍ଲୀ ପଞ୍ଚାୟତରେ ଉକ୍ତ ରାସ୍ତା କାମରେ ହୋଇଥିବା ଅନିୟମିତତା ସମ୍ପର୍କରେ ନୂଆଗାଁ ବ୍ଲକ ସହକାରୀ ଯନ୍ତ୍ରୀ ନକୁଳ ରାଉତଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ପାଇଛି, କିନ୍ତୁ ଠିକାଦାର କିଭଳି କାମ କରୁଛନ୍ତି ମୁଁ ଜାଣିନି। ଆମେ ଜୁନ ୧୫ତାରିଖ ସୁଦ୍ଧା କାମର ବିଲ୍‌ ଦେଇସାରିଛୁ। ଏବେ ଠିକାଦାର ତାଙ୍କ ନିଜ ପଇସାରେ କାମ କରୁଥାଇପାରନ୍ତି ବୋଲି ସେ କହିଥିଲେ।

Share