ଏମ୍‌ପିସି କଲେଜ ସମସ୍ୟାର ସମାଧାନ ଦାବି କଲା ‘ମାସା’

ବାରିପଦା ଅଫିସ,୨୨।୮- ବାରିପଦା ତକତପୁର ସ୍ଥିତ ଏମପିସି ସ୍ବୟଂଶାସିତ କଲେଜରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ପକ୍ଷରୁ ଦାବି କରାଯାଇଛି। ସଂଗଠନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷା ଝରଣା ବେହେରାଙ୍କୁ ସାକ୍ଷାତ୍‌ କରିଥିଲେ। କଲେଜର ବିଭିନ୍ନ ଅବ୍ୟବସ୍ଥା ଦୂର କରିବା ପାଇଁ ୮ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଯୁକ୍ତ ୩ ଓ ପିଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କ ହଷ୍ଟେଲ ଫି’ କମ୍‌ କରିବା, ନବ ନିର୍ମିତ ଦୁଇଟି ହଷ୍ଟେଲ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଯୁକ୍ତ ୩ର ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟର ପରୀକ୍ଷାଫଳ ତୁରନ୍ତ ପ୍ରକାଶ କରିବା,କଲେଜ କ୍ୟାଲେଣ୍ଡର, ମାଗାଜିନ ଓ ସିଲାବସ ପ୍ରଦାନ କରିବା, ଲାଇବ୍ରେରୀରେ ଆବଶ୍ୟକ ପୁସ୍ତକ ଉପଲବ୍ଧ କରିବା, କଲେଜର ସମସ୍ତ ହଷ୍ଟେଲର ମରାମତି କରିବା, ସମସ୍ତ କ୍ଲାସରୁମରେ ଫ୍ୟାନ ଓ ଆକ୍ୱାଗାର୍ଡ ବ୍ୟବସ୍ଥା କରିବା ଏବଂ କଲେଜରେ ସାନ୍ତାଳି ବିଭାଗରେ ଏମଫିଲ ଓ ପିଏଚଡି ପାଠ୍ୟକ୍ରମ ଖୋଲିବା ଆଦି ଦାବି କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ଦାବି ପୂରଣ କରା ନ ଗଲେ ‘ମାସ’ା ପକ୍ଷରୁ କଲେଜରେ ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ ଅଇଁଠୁ ଟୁଡୁ, ଦିନେଶ କୁମାର ମୁର୍ମୁ , ଚୈତନ ସୋରେନ, ପ୍ରମୋଦ ମୁର୍ମୁ, ବାଜୁନ ମୁର୍ମୁ, ଭୀମଚରଣ ମୁର୍ମୁ, ବିଜୟ ମୁର୍ମୁ, ଲକ୍ଷ୍ମୀକାନ୍ତ ବାସ୍କେ, ସମାୟ ହାଁସଦା, ଲକ୍ଷ୍ମଣ ହେମ୍ବ୍ରମ, ରବୀନ୍ଦ୍ର ମାରାଣ୍ଡି, ଘାସିରାମ କିସ୍କୁ ଓ ମାନସ ରଞ୍ଜନ ସି ପ୍ରମୁଖ ସାମିଲ ଥିଲେ।