Categories: ରାଜ୍ୟ

ଏମ୍‌ପି, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଏ ନେଇ ଢେଙ୍କାନାଳ ଜିଲା ବିଜେଡି ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।
ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଦଳୀୟ ସଙ୍ଗଠନ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଏମ୍‌ପି ଏବଂ ବିଧାୟକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିପୂର୍ବରୁ ସ୍ଥାନୀୟ କଲେଜ ବାଇପାସ୍‌ଠାରୁ ନବନିର୍ବାଚିତ ପ୍ରତିନିଧିଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ପାଛୋଟି ଆଣିଥିଲେ। ବାଜିଚୌକସ୍ଥିତ ଶହୀଦ ମୀନାରଠାରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶୋଭାଯାତ୍ରା ମିନି ଷ୍ଟାଡିୟମରେ ପହଞ୍ଚତ୍ଥିଲା। ଢେଙ୍କାନାଳ ବିଧାନସଭା କ୍ଷେତ୍ର ଅଧୀନ ଭାପୁର ପଞ୍ଚାୟତରୁ ବିଜେଡିକୁ ଅଧିକ ଭୋଟ ମିଳିଛି। ଏଥିପାଇଁ ବିଧାୟକ ସୁଧୀର କୁମାର ସାମଲ ଉକ୍ତ ପଞ୍ଚାୟତକୁ ପୁରସ୍କୃତ କରିଥିଲେ। ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଦେବାଶିଷ ମିଶ୍ର ସଂଯୋଜନା କରିଥିଲେ। ଜିଲା ସହ ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ହର୍ଷବର୍ଦ୍ଧନ ସିଂଦେଓଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ଉପସ୍ଥିତ ଥିଲେ।

Share