Categories: ବାଣିଜ୍ୟ

ଏମ୍‌ପି ଲୋଧା ଭାରତର ସବୁଠୁ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ

ନୂଆଦିଲ୍ଲୀ,୧୦-୧୨: ଲୋଧା ଡେଭଲପର୍ସର ଏମ୍‌.ପି.ଲୋଧା ଏବଂ ପରିବାର ଭାରତର ସବୁଠୁ ଧନୀଶାଳୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ ଭାବେ ବିବେଚିତ ହୋଇଛନ୍ତି। ଏହି ଗ୍ରୁପ ନିକଟରେ ମୋଟ ୩୧,୯୬୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଡିଏଲ୍‌ଏଫ୍‌ର ରାଜୀବ ସିଂ ଏବଂ ଏମ୍ବାସି ଗ୍ରୁପ ପ୍ରତିଷ୍ଠାତା ଜିତେନ୍ଦ୍ର ଭିରଓ୍ବାନୀ ରହିଛନ୍ତି। ହୁରୁନ ଏବଂ ଗ୍ରୋହେ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ପ୍ରକାଶିତ ଗ୍ରୋହେ ହୁରୁନ ଇଣ୍ଡିଆ ରିୟଲ ଇଷ୍ଟେଟ ରିଚ୍‌ ଲିଷ୍ଟ ୨୦୧୯ ତାଲିକାରେ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀଙ୍କୁ ସାମିଲ କରାଯାଇଛି। ତାଲିକାର ପ୍ରଥମ ସ୍ଥାନରେ ଥିବା ଲୋଧା ପରିବାରର ସମ୍ପତ୍ତି ୨୦୧୯ରେ ୧୮% ବଢିଛି। ତାଲିକାରେ ସ୍ଥାନିତ ଅନ୍ୟ ଉଦ୍ୟୋଗୀଙ୍କ ସମ୍ପତ୍ତିର ୧୨% ଲୋଧା ଗ୍ରୁପ ନିକଟରେ ରହିଛି। ଏହି ତାଲିକାରେ ୯୯ ଉଦ୍ୟୋଗୀଙ୍କୁ ସ୍ଥାନୀତ କରାଯାଇଛି। ଦ୍ୱିତୀୟ ସ୍ଥାନରେ ରହିଥିବା ଡିଏଲ୍‌ଏଫ୍‌ର ରାଜୀବ ସିଂଙ୍କ ନିକଟରେ ୨୫,୦୮୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ସମ୍ପତ୍ତିରେ ୪୨% ବୃଦ୍ଧି ଘଟିଛି।
ସେହିଭଳି ତୃତୀୟ ସ୍ଥାନରେ ରହିଥିବା ଏମ୍ବାସୀ ପ୍ରପର୍ଟି ଡେଭଲପର୍ସର ଜିତେନ୍ଦ୍ର ଭିରଓ୍ବାନୀଙ୍କ ନିକଟରେ ୨୪,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ୪ର୍ଥ ସ୍ଥାନରେ ହିରାନନ୍ଦୀନି କମ୍ୟୁନିିଟିଜର ନିରଞ୍ଜନ ହିରାନନ୍ଦିନୀ ( ୧୭,୦୩୦ କୋଟି ସମ୍ପତ୍ତି), କେ ରାହେଜାର ଚନ୍ଦ୍ରୁ ରାହେଜା(୫ମ ସ୍ଥାନ, ୧୫,୪୮୦ କୋଟି), ଓବରେଇ ରିୟଲିଟିର ବିକାଶ ଓବରେଇ(୬ଷ୍ଠ ସ୍ଥାନ, ୧୩,୯୧୦ କୋଟି), ବାଗମାନେ ଡେଭଲପର୍ସର ରାଜା ବାଗମାନେ(୭ମ, ୯୯୬୦ କୋଟି), ହାଉସ ଅଫ୍‌ ହିରାନନ୍ଦୀନିର ସୁରେନ୍ଦ୍ର ହୀରାନନ୍ଦିନୀ (୮ମ, ୯୭୨୦ କୋଟି), ରନଓ୍ବାଲ ଡେପଲପର୍ସର ସୁଭାଷ ରନଓ୍ବାଲ(୯ମ, ୭,୧୦୦ କୋଟି) ଏବଂ ପିରାମଲ ରିୟଲିଟିର ଅଜୟ ପିରାମଲ ୧୦ ସ୍ଥାନରେ ଥିବା ବେଳେ ତାଙ୍କ ନିକଟରେ ୬୫୦୦ କୋଟି ଟଙ୍କାର ରିୟଲ ଇଷ୍ଟେଟ ସମ୍ପତ୍ତି ରହିଛି। ତାଲିକାରେ ଶୀର୍ଷ ୧୦ ଜଣକ ମଧ୍ୟରୁ ମୁମ୍ବାଇର ୭ ଜଣ ଏବଂ ଶୀର୍ଘ ୧୦୦ ମଧ୍ୟରୁ ୩୭ ଜଣ ମୁମ୍ବାଇରୁ ରହିଛନ୍ତି। ସେହିଭଳି ଦିଲ୍ଲୀ ଏବଂ ବାଙ୍ଗାଲୋରରୁ ୧୯ ଜଣ ତାଲିକାରେ ସାମିଲ ରହିଛନ୍ତି। ତାଲିକାରେ ସ୍ଥାନୀତ ମୋଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଏହି ସହରଗୁଡିକରୁ ୩ ଚତୁର୍ଥାଂଶ ଉଦ୍ୟୋଗୀ ରହିଛନ୍ତି।

Share