ଏମ୍‌ବିବିଏସ୍‌ ପାଇଛି ବୋଲି ପାନଦୋକାନୀ ଖବର ଦେଇଥିଲେ

କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଡ. ମାନସ ପୁହାଣ ଜଣେ ପ୍ରତିଷ୍ଠିତ ଚର୍ମରୋଗ ବିଶେଷଜ୍ଞ। ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅନ୍ତର୍ଗତ ବାଘମରା ଗାଁରେ ତାଙ୍କର ଜନ୍ମ। ଶରତ ଚନ୍ଦ୍ର ପୁହାଣ ଓ ସରସ୍ବତୀ ପୁହାଣଙ୍କ ପୁଅ ମାନସଙ୍କ ଅନୁଭୂତିରୁ କିଛି..

ମୋ ଗାଁ ନାଁ ଶୁଣିଲେ ସାଧାରଣରେ ଅନୁମାନ କରାଯାଏ ଯେ, ସେଠାକାର ପରିସ୍ଥିତି କିପରି ଥିବ। ଯେତେବେଳେ ମୁଁ ସ୍କୁଲ୍‌ରେ ପାଠ ପଢ଼ୁଥିଲି ସେତେବେଳେ ଲାଇନ୍‌, ପକ୍କା ରାସ୍ତା ଆମ ଗାଁରେ ନଥିଲା। ଏଣୁ ଦେଶଦୁନିଆର ଖବରଠାରୁ ଆମେ ସବୁବେଳେ ବହୁ ଦୂରରେ ରହିଯାଉ। ଯେବେ ଏମ୍‌ବିବିଏସ୍‌ ପାଇଥିଲି, ସେ ଖବର ବି ଦୁଇ ଦିନ ପରେ ମୋ ପାଖରେ ପହଞ୍ଚିଥିଲା। ଜଣେ ବସ୍‌ ଡ୍ରାଇଭର ଆମ ଗାଁ ଛକ ପାନଦୋକାନରେ ଏକଥା କହିଯାଇଥିଲେ। ଦୋକାନୀ ଜଣକ ଦୁଇ ଦିନ ପରେ ଆମ ଘରେ ଆସି ଖବର ଦେଇଥିଲେ।
ଅନୁନ୍ନତ ଅଞ୍ଚଳରେ ମୋର ଜୀବନ ଆରମ୍ଭ ହୋଇଛି। ବ୍ରହ୍ମପୁର ମେଡ଼ିକାଲ କଲେଜରେ ଏମ୍‌ବିବିଏସ୍‌ ପଢ଼ିଥିଲି। ପଢ଼ା ସମୟର କଥା। ଦିନେ ଘରୁ ବାହାରି କଲେଜ ଯିବା ପାଇଁ ପ୍ରସ୍ତୁତ ହେଉଥାଏ। ହଠାତ୍‌ ଆମ ଘର ପାଖରେ ଏକ ପୋଲିସ ଜିପ୍‌ ଲାଗିଲା। ପୋଲିସ ଆସିବା ଖବରକୁ ପ୍ରାୟ ସମସ୍ତେ ସହଜରେ ଗ୍ରହଣ କରିପାରନ୍ତିନି। ପୋଲିସ ଆସିଛି ମାନେ, କ’ଣ ସମସ୍ୟା ହୋଇଛି ବୋଲି ସାଧାରଣରେ ଭାବନା ରହିଛି। ହେଲେ ପୋଲିସ କିଛି ବ୍ୟକ୍ତିଗତ କାର୍ଯ୍ୟରେ ଆମ ଘର ପାଖକୁ ଆସିଥିଲା। ବସ୍‌ ଧରିବାକୁ ହେଲେ ମୋତେ ଘରଠାରୁ ୨କି.ମି. ରାସ୍ତା ଅତିକ୍ରମ କରି ଯିବାକୁ ହୁଏ। ଏଣୁ ଭାବିଲି ପୋଲିସଙ୍କୁ କହି ତାଙ୍କ ଜିପ୍‌ରେ ବସ୍‌ ଷ୍ଟପେଜ ପର୍ଯ୍ୟନ୍ତ ଚାଲିଯିବି। ସାହସ କରି ଗାଡ଼ିରେ ବସିଥିବା ଜଣେ ବଡ଼ ଅଧିକାରୀଙ୍କ ସହ କଥା ହୋଇଥିଲି। ହେଲେ ସେ ଅଧିକାରୀ ଜଣଙ୍କ ମୋ ବିଷୟରେ ଜାଣିଥିଲେ। ମୁଁ ମେଡ଼ିକାଲ ପଢୁଛି ବୋଲି ତାଙ୍କ ନିକଟରେ ଖବର ଥିଲା। ଏଣୁ ସେ ପୋଲିସ ଗାଡ଼ିରେ ମୋତେ ନେବାକୁ ମନା କରି ଦେଇଥିଲେ। ଯଦି ଏବେ ଆମ ସାଙ୍ଗରେ ଯିବ, ତା’ହେଲେ ଆଖପାଖ ୫ଖଣ୍ଡ ଗାଁରେ ତୁମକୁ ପୋଲିସ ନେଇଗଲା ବୋଲି ଗୁଜବ ଉଠିବ। ଭଲ ହେବ ତୁମେ ସାଇକେଲ ନେଇ ଚାଲିଯାଅ ବୋଲି ସେ ଅଧିକାରୀ ଜଣକ କହିଥିଲେ। ଏହା ପରେ ସ୍କୁଟର ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗି ବସ୍‌ ଷ୍ଟପେଜ ପର୍ଯ୍ୟନ୍ତ ଆସିଥିଲି। ଏବେ ଅନେକ ଦେଶ ବୁଲିଲିଣି। ହେଲେ ସେ ଦିନର କଥା ମନେ ଅଛି। ପୋଲିସ ଅଧିକାରୀ ଜଣକ ଯାହା କହିଥିଲେ ତାହା ମିଛ ନୁହେଁ। ଏ ସମାଜରେ ଲୋକ କିଛି ନବୁଝି ମନ୍ତବ୍ୟ ଦିଅନ୍ତି। ପୋଲିସ ଅଧିକାରୀଙ୍କ ସେଦିନର କଥା ମନେ ପଡ଼ିଲେ ଏବେ ହସ ଲାଗେ।

Share