Categories: ଜାତୀୟ

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା: ୨୦୨୦ରୁ ଏମ୍ସରେ ଲାଗୁ ହେବ ନିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଗାମୀ ୨୦୨୦ ଶିକ୍ଷାବର୍ଷରୁ ଏମ୍ସ, ଜେଆଇପିଏମ୍‌ଇଆର୍‌ (ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଦେବାକୁ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଦେଶର ମେଡିକାଲ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବାରେ ଏହା ସହାୟକ ହୋଇପାରିବ। ଏବେ ଏମ୍ସ ଏବଂ ଜେଆଇପିଏମ୍‌ଇଆର୍‌ ବ୍ୟତୀତ ଅନ୍ୟ ସମସ୍ତ ମେଡିକାଲ କଲେଜରେ ନାମଲେଖା ପାଇଁ ନିଟ୍‌ ଦେବାକୁ ପଡୁଛି। ଏମ୍ସ ଓ ଜେଆଇପିଏମ୍‌ଇଆର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବାରୁ ସେମାନେ ନିଜସ୍ବ ନାମଲେଖା ପରୀକ୍ଷା କରିଥାଆନ୍ତି। ଜାତୀୟ ମେଡିକାଲ କମିଶନ ଆଇନ (ଏନ୍‌ଏମ୍‌ସି), ୨୦୧୯ ଅନୁଯାୟୀ ହେଉଥିବା ନିଟ୍‌ ସମେତ କମନ୍‌ କାଉନସେଲିଂ ଏବଂ ଏମ୍‌ବିବିଏସ୍‌ ଶେଷ ବର୍ଷ ପରୀକ୍ଷା ସମସ୍ତ ମେଡିକାଲ କଲେଜ ପାଇଁ ସମାନ ହେବ। ସେହିପରି ନେକ୍ସଟ୍‌ (ନ୍ୟାଶନାଲ ଏକ୍‌ଜିଟ୍‌ ଟେଷ୍ଟ) ଫଳାଫଳ ଆଧାରରେ ପିଜି ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଏବଂ ଚିକିତ୍ସା ଲାଗି ଲାଇସେନ୍ସ ମିଳିବ। ବିଦେଶରେ ମେଡିକାଲ ଶିକ୍ଷାରେ ସ୍ନାତକ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହା ସ୍କ୍ରିନିଂ ପରୀକ୍ଷା ଭାବେ କାର୍ଯ୍ୟ କରିବ। ନେକ୍ସଟ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ୩ ବର୍ଷର ଓ୍ବିଣ୍ଡୋ ପରିୟଡ ରଖାଯାଇଛି ଏବଂ ଏହି ପରୀକ୍ଷା କିଭଳି ହେବ ତାହା ପରବର୍ତ୍ତୀ ସମୟରେ ଏନ୍‌ଏମ୍‌ସି ଦ୍ୱାରା ସ୍ଥିରୀକୃତ ହେବ। ନେକ୍ସଟରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ପ୍ରାର୍ଥୀ ନିଜକୁ ପଞ୍ଜୀକୃତ କରିବା ସହ ଡାକ୍ତରୀ ବୃତ୍ତି ପାଇଁ ଲାଇସେନ୍ସ ପାଇପାରିବେ। ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ର଼୍ୟାଙ୍କ ବଢ଼ାଇବାକୁ ଜଣେ ଏକାଧିକ ଥର ନେକ୍ସଟ ଦେଇପାରିବେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

Share