ଏମ୍‌ସରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସି ପରେ ଓଡ଼ିଶାର ଦ୍ୱିତୀୟ ନମୁନା ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ୱିତୀୟ କରୋନା ଭୂତାଣୁ (କୋଭିଡ-୧୯) ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ବୁଧବାରଠାରୁ ଏଠାରେ ନମୁନା ପରୀକ୍ଷା ହୋଇଛି। ପ୍ରଥମ ଦିନରେ ୩ ନମୁନା ପରୀକ୍ଷା କରାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଥିବା ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ନିୟମିତ ଏମ୍‌ସର ଓପିଡି ତଥା ବହିର୍ବିଭାଗକୁ ନିୟମିତ ଚିକିତ୍ସା ପାଇଁ ନ ଆସିବା ଲାଗି କର୍ତ୍ତୃପକ୍ଷ ରୋଗୀମାନଙ୍କୁ ଅନୁରୋଧ କରିଛନ୍ତି। ଏବେ ଏମ୍‌ସରେ କେବଳ ଜରୁରିକାଳୀନ ଶଲ୍ୟ ଚିକିତ୍ସା ଏବଂ ଏମର୍‌ଜେନ୍ସି ଚିକିତ୍ସା କରାଯାଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାରେ କେବଳ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)ରେ କରୋନା ନମୁନା ପରୀକ୍ଷା କରାଯାଉଥିଲା। ଏମ୍‌ସ ଭୁବନେଶ୍ବରରେ କରୋନା ପରୀକ୍ଷା ଆରମ୍ଭ ହେବାପରେ ଆରଏମ୍‌ଆରସି ଉପରେ ରହୁଥିବା ଚାପ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Share