ମୁମ୍ବାଇ,୧।୧୦(ପିଟି): ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦୀଲିପ ଭେଙ୍ଗସରକରଙ୍କ ସହ ୩୯ ଜଣ ଅନ୍ତର୍ଜାତୀୟ କ୍ରିକେଟର ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ନିର୍ବାଚନରେ ଭୋଟ ଦେବାକୁ ଯୋଗ୍ୟ। କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୪ ତାରିଖରେ ଏମ୍ସିଏ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ଜାହିର ଖାନ, ବିନୋଦ କାମ୍ବଲି, ଅଜିତ ଅଗରକର, ରମେଶ ପାଓ୍ବାର, ସନ୍ଦୀପ ପାଟିଲ, ସଞ୍ଜୟ ବାଙ୍ଗର, ସଞ୍ଜୟ ମାଞ୍ଜରେକରଙ୍କ ଭଳି ପୂର୍ବତନ ଖେଳାଳି ରହିଛନ୍ତି। ଏଥିରେ ମହିଳା କ୍ରିକେଟରଙ୍କ ନାମ ମଧ୍ୟ ରହିଥିବା ଆସୋସିଏଶନ ପକ୍ଷରୁ ଓ୍ବେବସାଇଟ୍ରେ ଜାରି ହୋଇଥିବା ଭୋଟରଙ୍କ ତାଲିକାରୁ ଜଣାପଡ଼ିଛି। ଲୋଧା କମିଟି ସୁପାରିସ କାର୍ଯ୍ୟକାରୀ ହେବା ପରେ ପ୍ରଥମ ଥର ପାଇଁ ପୂର୍ବତନ କ୍ରିକେଟରଙ୍କୁ ରାଜ୍ୟ ଆସୋସିଏଶନରେ ଭୋଟ ଦେବାର ଅନୁମତି ଦିଆଯାଇଛି।