ଏରସମା ଫାଶୀ ଦଣ୍ଡାଦେଶ ମାମଲା: ନଥିପତ୍ର ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୮।୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବାକୁ ସରକାର ହାଇକୋର୍ଟକୁ ଆସିଥିବାବେଳେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଦଣ୍ଡାଦେଶ କୋହଳ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ହାଇକୋର୍ଟଙ୍କ ବିଚାରପତି ଜଷ୍ଟସି ଏ.କେ. ମିଶ୍ର ଓ ଏସ୍‌.କେ. ମିଶ୍ରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଆବେଦନକାରୀ କାଳିଆଙ୍କ ଆଇନଜୀବୀଙ୍କୁ ମାମଲା ସମ୍ପର୍କିତ ନଥିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୬ରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମାର୍ଚ୍ଚ ୨୦ରେ କାଳିଆ ଅପରାହ୍ନ ପ୍ରାୟ ୩ଟା ରେ ଘରୁ ବାହାରକୁ ଆସିଥିଲେ। ଅଞ୍ଚଳର ଜଣେ ନାବାଳିକାଙ୍କୁ ରାସ୍ତାରେ ଏକୁଟିଆ ଦେଖି ତାଙ୍କୁ ଚକୋଲେଟ୍‌ ଦେବାର ଲୋଭ ଦେଖାଇ କାଜୁ ଜଙ୍ଗଲ ଆଡ଼କୁ ନେଇଥିଲେ। ସେଠାରେ କାଳିଆ ତାଙ୍କୁ ବଳାତ୍କାର କରି ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ମାମଲାରେ ଏରସମା ପୋଲିସ ମେ’ ୨୫ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଜଗତ୍‌ସିଂହପୁର ପୋକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

Share