Advertisement

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ମାମଲା ଗୁରୁବାର ହାଇକୋର୍ଟକୁ ଆସିଥିଲା। ଏନେଇ ତଳ କୋର୍ଟଙ୍କ ଏହି ଦଣ୍ଡାଦେଶକୁ ତର୍ଜମା କରିବା ପରେ ଉକ୍ତ ଆଦେଶ କାଏମ ରହିବ କି ନାହିଁ ସେ ସମ୍ପର୍କରେ ୨୬ରେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇବେ ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମାର୍ଚ୍ଚ ୨୦ ତାରିଖ ଦିନ କାଳିଆ ଅପରାହ୍ନ ତିନିଟାରେ ଘରୁ ପଦାକୁ ଆସିଥିଲେ। ତେବେ ଅଞ୍ଚଳର ଜଣେ ନାବାଳିକାଙ୍କୁ ରାସ୍ତାରେ ଏକୁଟିଆ ଦେଖି ତାଙ୍କୁ ଚକୋଲେଟ୍‌ ଦେବାର ଲୋଭ ଦେଖାଇ କାଜୁ ଜଙ୍ଗଲ ଆଡ଼କୁ ନେଇଥିଲେ। ସେଠାରୁ କାଳିଆ ତାଙ୍କୁ ବଳାତ୍କାର କରିଥିଲେ। ମାତ୍ର ଧରାପଡ଼ିଯିବା ଭୟରେ କାଳିଆ ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ଜଘନ୍ୟ ଘଟଣାକୁ କେନ୍ଦ୍ର କରି ସେତେବେଳେ ଏରସମାରେ ନିଆଁ ଜଳିଥିଲା। ଜିଲାବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ମାମଲାର ତଦନ୍ତ କରି ରାଜ୍ୟ ବାହାରକୁ ଫେରାର ହୋଇ ପଳାଇଯିବାକୁ ଯୋଜନା ଚଳାଇଥିବା କାଳିଆକୁ କଟକ ବାଦାମବାଡ଼ି ଅଞ୍ଚଳରୁ ଠାବ କରିଥିଲା। ଏହି ବହୁଚର୍ଚ୍ଚିତ ମାମଲାରେ ଏରସମା ପୋଲିସ ମେ’ ୨୫ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା। ମାତ୍ର ଦେଢ଼ ବର୍ଷ ଭିତରେ ମାମଲାରେ ରାୟ ପ୍ରକାଶ ପାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆସାମୀକୁ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share