ଏଲଓସି ଆକ୍ସନ ପରେ ପାକିସ୍ତାନ ଛାନିଆ: ଇମ୍ରାନ ଡକାଇଲେ ବୈଠକ

ଇସଲମାବାଦ୍‌, ୪।୮: ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ବର୍ଡର ଆକ୍ସନ ଟିମ (ବିଏଟି)ର ଏକ ଅନୁପ୍ରବେଶ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଛି। ସେନା କହିବା ଅନୁଯାୟୀ ଜୁଲାଇ ୩୧ ତାରିଖ ରାତିରେ ବିଏଟିର ସଦସ୍ୟମାନେ ଜାମ୍ମୁ-କାଶ୍ମୀରର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ପାକିସ୍ତାନ ସେନା ସମର୍ଥନରେ ହେଉଥିବା ବିଏଟି କରିଥିବା ଏହି ଅନୁପ୍ରବେଶକୁ ଭାରତୀୟ ସେନା ପ୍ରତିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି)ର ୫ରୁ ୭ଜଣ କମାଣ୍ଡୋ ପ୍ରାଣ ହରାଇଥିବା ଭାରତ ସେନା କହିଛି। ଭାରତର ଏଭଳି ଆକ୍ସନରେ ଛାନିଆ ହୋଇପଡିଛି ପାକିସ୍ତାନ। ଏନେଇ ଅଧିକ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରାଷ୍ଟ୍ରୀୟ ସୁରକ୍ଷା ସମିତି(ଏନଏସି) ସହ ଏକ ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକରେ ଏଲଓସି ଆକ୍ସନ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଜୈସ-ଇ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନର ପ୍ରାୟ ୨୦୦ରୁ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ସୀମାରେ ରହିଛନ୍ତି।

Share