Categories: ଜାତୀୟ

ଏଲଓସି ନିକଟରେ ପାକ୍‌ ସେନା

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ ଏବେ ଆତଙ୍କବାଦୀଙ୍କ ସାହାରା ନେଇଛି। ଗୋଇନ୍ଦା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନୀ ସେନା ଓ ତା’ର ଗୋଇନ୍ଦା ବିଭାଗ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ଉଦ୍ୟମ କରୁଛି। ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌(ଏଲଓସି)ରେ ପାକିସ୍ତାନ ଆତଙ୍କବାଦୀଙ୍କ ୧୮ଟି କ୍ୟାମ୍ପ ଓ ଲଞ୍ଚ ପ୍ୟାଡକୁ ଚିହ୍ନଟ କରାଯିବା ସହ ୨ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଛି ବୋଲି ଭାରତୀୟ ଗୋଇନ୍ଦା ବିଭାଗ କହିଛି। ସେଠାରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଉଛି ନଚେତ୍‌ ଭାରତରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରାଯାଉଛି ବୋଲି ଗୋଇନ୍ଦା ବିଭାଗ କହିଛି। ଏଥିସହ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀଙ୍କ ୩ଟି କ୍ୟାମ୍ପ ଲାଗିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଏଲ୍‌ଓସି ନିକଟରେ ବଡ଼ ସଂଖ୍ୟାରେ ଆତଙ୍କବାଦୀ ସକ୍ରିୟ ଥିବା ପୁଣି ଥରେ ଦେଖିବାକୁ ମିଳିଛି। ସେମାନେ ଭାରତରେ ଏକ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚୁଥିବା ନେଇ ସନ୍ଦେହ କରାଯାଉଛି।

Share