ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ ଚିପ୍‌ ବିକାଶ କରିଛିି। ଏହାକୁ ଏକ ଟିନି ବ୍ରେନ୍‌ ବି କୁହାଯାଉଛି। ଏହା ଦୀର୍ଘସ୍ଥାୟୀ ହେବ ଓ ଘରେ ସହଜରେ ବ୍ୟବହାର କରିହେବ। ମସ୍ତିଷ୍କ ଲାଗି ବ୍ୟବହାର କରାଯାଉଥିବା ଓଜନିଆ ଓ ବଡ଼ଯନ୍ତ୍ର ଗୁଡିକର ବିକଳ୍ପ ଭାବେ ଏହାକୁ ବ୍ୟବହାର କରାଯାଇପାରିବ। କମ୍ପାନୀ ଏହି ଚିପ୍‌ ପ୍ରସ୍ତୁତ କରିବା ପରେ୨୦୨୦ରେ ଏହାର କ୍ଲିନିକାଲ୍‌ ଟ୍ରାଏଲ କରିବାକୁ ୟୁସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ ଆଡ୍‌ମିନିଷ୍ଟ୍ରେଶନ୍‌(ଏଫଡିଏ) ସ୍ବୀକୃତିକୁ ଅପେକ୍ଷା କରିଛି। ଏହାକୁ ଏଭଳି ଟେକ୍‌ନୋଲୋଜିରେ ପ୍ରସ୍ତୁତ କରାଯାଇଛି ଯେ ଚିପ୍‌କୁ ମୁଣ୍ଡ ଉପରେ ଲଗାଯାଇ ମସ୍ତିଷ୍କ ଭିତରୁ ଥ୍ରେଡ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ। ଏହାକୁ ଆଇଫୋନ ଆପ୍‌ ଦ୍ୱାରା ନିୟନ୍ତ୍ରଣ କରାଯିବ। ଚିପ୍‌ର ନାମ ରଖାଯାଇଛି ଏନ୍‌-୧ ସେନ୍‌ସର। ଏଥିରେ ଥିବା ୟୁଏସ୍‌ବି ପୋର୍ଟରୁ ୯୬ଟି ଥ୍ରେଡ୍‌ରେ ୩,୦୭୨ଟି ଇଲେକ୍‌ଟ୍ରୋଡ ଲଗାଯାଇଛି। ପ୍ରତ୍ୟେକ ଥ୍ରେଡ୍‌ ସବୁଠୁ ଛୋଟ କେଶଠାରୁ ବି ଛୋଟ। ଏହା ମସ୍ତିଷ୍କରୁ ଡାଟା ଓ ସଙ୍କେତ ଟ୍ରାନସ୍‌ମିଟ୍‌ କରିପାରିବ। କିନ୍ତୁ ଏହି ଚିପ୍‌କୁ କାର୍ଯ୍ୟ କାରିବା ଲାଗି ରୋଗୀଙ୍କ ଖପୁରିରେ ୮ମିଲିମିଟର ହୋଲ୍‌ କରି ଥ୍ରେଡ୍‌କୁ ମସ୍ତିଷ୍କ ମଧ୍ୟକୁ ପୂରାଇବାକୁ ହେବ। ଥ୍ରେଡ୍‌ର ଆକାର ୪-୬ ମାଇକ୍ରୋମିଟର ଯାହା ଗୋଟିଏ ମାନବ କେଶର ବ୍ୟାସର ତିନି ଭଗରୁ ଏକ ଭାଗ। ଏହି ଚିପ୍‌ ବିଭିନ୍ନ ପ୍ରକାର ମସ୍ତିଷ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଠାରୁ ଏହା ଆହୁରି ଭଲ କାମ କରିବ ବୋଲି ଏଲନ ମସ୍କ୍‌ କହିଛନ୍ତି। ନ୍ୟୁରଲିଙ୍କ୍‌ର ଅଧ୍ୟକ୍ଷ ମ୍ୟାକ୍ସ ହୋଡାକ୍‌ଙ୍କ ମତରେ ଏହାକୁ ଦୁଇ କି ତିନି ବର୍ଷରେ ଥରେ ବଦଳାଇବାକୁ ପଡିବନି , ଏହା ଦୀର୍ଘସ୍ଥାୟୀ ଭାବେ କାମ କରିବ। ଆଗକୁ ଚିପ୍‌କୁ ପୂରା ଓ୍ବେୟାର୍‌ଲେସ୍‌ କରାଯିବାର ଯୋଜନା କରାଯାଇଛି। ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ମେଡିକାଲ ରିସର୍ଚ୍ଚ କମ୍ପାନୀ ନ୍ୟୁରଲିଙ୍କ ବିଶ୍ୱର ବହୁ ପ୍ରଖ୍ୟାତ ନ୍ୟୁରୋସାଇଣ୍ଟିଷ୍ଟମାନଙ୍କୁ ନିଯୁକ୍ତି ଦେଇ ଗବେଷଣା କରିବା ପରେଏହାକୁ ବିକାଶ କରିପାରିଛି।

Share