ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜୟନ୍ତୀ

ଲଣ୍ଡନ, ୯।୬: କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ୯୩ତମ ଜୟନ୍ତୀ ସରକାରୀ ଭାବେ ଶନିବାର ପାଳିତ ହୋଇଛି। ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଓ୍ବେଷ୍ଟମିନ୍‌ଷ୍ଟରଠାରେ ଅଶ୍ୱାରୋହୀ ସୈନ୍ୟଙ୍କ ଏକ ରଙ୍ଗାରଙ୍ଗ ପରେଡ୍‌ ଏବଂ ପାରମ୍ପରିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪୦୦ ସୈନ୍ୟ ସ୍କାର୍‌ଲେଟ କୋଟ ଏବଂ ବିୟରସ୍କିନ୍‌ ଟୋପି ପରିଧାନ କରି ଅଂଶଗ୍ରହଣ କରିଥିଲେ। ଏହି ରାଜକୀୟ ମହୋତ୍ସବରେ ଭାଗ ନେଇଥିଲେ ରାଜପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ସ୍ତ୍ରୀ କାଟେ, ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ। ପୁତ୍ର ସନ୍ତାନ ଆର୍କି ଜନ୍ମ ପରେ ମେଘାନ୍‌ ପ୍ରଥମ କରି ଜନସାଧାରଣଙ୍କ ସମ୍ମୁଖକୁ ଆସିଥିଲେ।
ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜନ୍ମଦିନ ବର୍ଷକୁ ଦୁଇଥର ପାଳନ କରାଯାଏ। ତେବେ ସରକାରୀ ଭାବେ ତାଙ୍କ ଜନ୍ମଦିନ ଜୁନ୍‌ରେ ହିଁ ପାଳିତ ହୁଏ। ତାଙ୍କର ପ୍ରକୃତ ଜନ୍ମଦିନ ହେଉଛି ଏପ୍ରିଲ ୨୧। ଏହି ଦିନ ତାଙ୍କର ଜନ୍ମଦିନ ପରିବାର ମଧ୍ୟରେ ସୀମିତ ରହେ।
ବାର୍ଷିକ ଜନ୍ମଦିନ ସମ୍ମାନ ତାଲିକାରେ ୩୦ଜଣ ମୂଳ ଭାରତୀୟ ଶିକ୍ଷାବିତ୍‌, ଶିଳ୍ପପତି ରହିଛନ୍ତି। ନଟିଙ୍ଗହାମ୍‌ ୟୁନିଭର୍ସିଟିର ପ୍ରଫେସର ହର୍‌ମିନ୍ଦର ସିଂ ଦୁଆଙ୍କୁ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର (ସିବିଇ) ଭାବେ ସମ୍ମାନିତ କରାଯାଇଛି। ଚକ୍ଷୁର ଯତ୍ନ ଓ ଚିକିତ୍ସା, ସ୍ବାସ୍ଥ୍ୟ ଶିକ୍ଷା ଏବଂ ଅପ୍‌ଥାମୋଲୋଜି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଭରତ କୁମାର ହଂସରାଜ ଶାହଙ୍କୁ ବ୍ୟବସାୟ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜନହିତକର କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବୋଚ୍ଚ ସମ୍ମାନ କ୍ୟାଟିଗୋରିରେ ସିବିଇ ପ୍ରଦାନ କରାଯାଇଛି। ସେହିପରି ଜୁପିଟର ଟେଲିଭିଜନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କ୍ରିଏଟିଭ୍‌ ଡାଇରେକ୍ଟରଙ୍କୁ ଟେଲିଭିଜନ୍‌ ଏବଂ ଐତିହ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ପୁରସ୍କୃତ କରାଯାଇଛି।

Share