Categories: ଖେଳ

ଏଲିଟ୍‌ କ୍ଲବ୍‌ରେ ପୂଜାରା: ୫୦ତମ ପ୍ରଥମ ଶ୍ରେଣୀ ଶତକ ହାସଲ

ରାଜକୋଟ,୧୨।୧(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ତମ ଶତକ ଅର୍ଜନ କରି ସେ ଏକ ଏଲିଟ କ୍ଲବ୍‌ରେ ସାମିଲ ହୋଇଛନ୍ତି। କର୍ନାଟକ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍‌ ବି’ ମ୍ୟାଚ୍‌ରେ ସେ ସୌରାଷ୍ଟ୍ର ତରଫରୁ ପ୍ରତିନିଧିତ୍ୱ କରି ଶତକ ହାସଲ କରିବା ସହ କ୍ରିକେଟ ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ପୂଜାରା ୨୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ଚୌକା ଓ ଗୋଟିଏ ଛକା ସହ ୧୬୨ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଏଥିସହିତ ସେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନିଜର ପ୍ରସ୍ତୁତିକୁ ଆହୁରି ଶାଣିତ କରିଛନ୍ତି। ପୂଜାରାଙ୍କ ପୂର୍ବରୁ ଅନ୍ୟ ୮ ଜଣ ଖେଳାଳି ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ତମ ଶତକ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡ। ପୂଜାରା ମଧ୍ୟ ଏପର୍ଯ୍ୟନ୍ତ ୧୮ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ସେ ବିଶ୍ୱ ଚତୁର୍ଥ ଆକ୍ଟିଭ ଖେଳାଳିଭାବେ ସର୍ବାଧିକ ପ୍ରଥମ ଶ୍ରେଣୀ ଶତକ ହାସଲ କରିବାରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଲିଷ୍ଟ କୁକ (୬୫), ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ହାସିମ ଅମଲା (୫୨) ଓ ଭାରତର ଓ୍ବାସିମ ଜାଫରଙ୍କ ପଛକୁ ରହିଛନ୍ତି। ପୂଜାରାଙ୍କ ଶତକ ବଳରେ ସୌରାଷ୍ଟ୍ର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୨ ଉଇକେଟ ହରାଇ ୨୯୬ ରନ ସଂଗ୍ରହ କରିଛି।
ବର୍ତ୍ତମାନ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୪୨, ବିରାଟ କୋହଲି ୩୪ ଓ ଅଜିଙ୍କ୍ୟ ରାହାନେ ୩୨ଟି ପ୍ରଥମ ଶ୍ରେଣୀ ଶତକ ହାସଲ କରି ପୂଜାରାଙ୍କ ପଛକୁ ରହିଛନ୍ତି। ପୂଜାରା ଏପର୍ଯ୍ୟନ୍ତ ୧୫ ହଜାରରୁ ୍‌ଊର୍ଦ୍ଧ୍ୱ ରନ ସଂଗ୍ରହ କରିସାରିଛନ୍ତି ଓ ସେ ୧୯୭ଟି ମ୍ୟାଚ୍‌ ଖେଳିଛନ୍ତି।

Share