Categories: ଖେଳ

ଏଲିସେ ପେରୀଙ୍କ ସଫଳତା

ଆଣ୍ଟିଗୁଆ, ୧୨।୯- ବିଶ୍ୱର ତୃତୀୟ ମହିଳା କ୍ରିକେଟର୍‌ ଭାବେ ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସେ ପେରୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍‌ ଅବସରରେ ପେରୀ ଏହି ସଫଳତା ପାଇଛନ୍ତି। ଓ୍ବେଷ୍ଟଇଣ୍ଡିର ଓପନର୍‌ ତଥା ଉଇକେଟ୍‌କିପର ରେନିସେ ବୋଏସ୍‌ଙ୍କୁ ଆଉଟ୍‌ କରି ୨୮ ବର୍ଷୀୟା ଏହି ଡାହାଣହାତୀ ଦ୍ରୁତ ବୋଲର ଦିନିକିଆ କ୍ୟାରିୟରରେ ୧୫୦ତମ ଉଇକେଟ୍‌ ହାସଲ କରିଛନ୍ତି। ଏହି ତାଲିକାରେ ଭାରତର ଝୁଲଣ ଗୋସ୍ବାମୀ ଶୀର୍ଷରେ ରହିଛନ୍ତି। ଝୁଲଣ ୧୭୭ ମ୍ୟାଚ୍‌ରୁ ୨୧୮ ଉଇକେଟ୍‌ ନେଇଥିବାବେଳେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ କାର୍ଥତ୍ନ ଫିଜପାଟ୍ରିକ (୧୮୦) ୨ୟ ସ୍ଥାନରେ ରହିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରିବାରେ ପେରୀ ଦ୍ୱିତୀୟ ଦ୍ରୁତତମ ଖେଳାଳି ହୋଇଛନ୍ତି। ଫିଜ୍‌ପାଟ୍ରିକ ୧୫୦ ଉଇକେଟ୍‌ ହାସଲ ପାଇଁ ୯୧ ଇନିଂସର ସହାୟତା ନେଇଥିବାବେଳେ ପେରୀ ଏଥିପାଇଁ ୧୦୭ ଇନିଂସ ଖେଳିଛନ୍ତି। ଭାରତର ଗୋସ୍ବାମୀ ୧୨୮ତମ ଇନିଂସ ଅବସରରେ ଏହି ସଫଳତା ପାଇଥିଲେ।

Share