‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କୁହନ୍ତି ତା’ର କିଛି ଠିକଣା ନ ଥାଏ। ସେଥିପାଇଁ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏବେ ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ଆମେରିକାର ଏକ ଓ୍ବେବସାଇଟ୍‌ରେ ଖବର ଆସିଛି କି ଆମେରିକା ଆଡକୁ ଅଗ୍ରସର ହେଉଥିବା ଘୂର୍ଣ୍ଣିଝଡ଼ ‘ଏଲେକ୍ସ’କୁ ମୁକାବିଲା କରିବାକୁ ଏହାକୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ ଟ୍ରମ୍ପ କହିଛନ୍ତି। ଯାହା ଏବେ ବେଶ୍‌ ଚର୍ଚ୍ଚିତ ଖବର ପାଲଟିଛି। ନ୍ୟୁକ୍ଲିୟର ବମ୍‌ ଯାହାର ପରୀକ୍ଷା କରିବାକୁ ବଡ ବଡ ଦେଶ ପଛାଇ ଯାଉଥିବା ବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ଏହି ନ୍ୟୁକ୍ଲିୟର ବମ୍‌ର ସାହାରା ନେବ ବୋଲି ଧମକ ଦେଉଛି। ଏବେ ଏହି ବୋମାକୁ ଟ୍ରମ୍ପ ‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ଦୂରେଇ ଦେବାକୁ ବ୍ୟବହାର କରିବାକୁ କହିବା ସମସ୍ତଙ୍କର ଭୃକୁଞ୍ଚନ ସୃଷ୍ଟି କରିଛି। ଆମେରିକା ଓ୍ବେବସାଇଟ୍‌ Axiosର ସୂଚନା ଅନୁଯାୟୀ, ଆଫ୍ରିକା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଏଲେକ୍ସ’ ତୀବ୍ର ବେଗରେ ଗତି କରିବା ସହ ଏହା ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାକୁ ଯାଉଛି। ଏହା ଆମେରିକା ମୁହଁା ହେଉଥିବାରୁ ଏହାର ମୁକାବିଲା ନେଇ ଟ୍ରମ୍ପଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଟ୍ରମ୍ପ ଅଧିକାରୀମାନଙ୍କୁ କହିଥିଲେ ଯଦି ଏହି ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବୋମା ମାଧ୍ୟମରେ ଉଡାଇ ଦିଆଯାଏ ତେବେ ଏହା ହୁଏତ ଆମେରିକା ଛୁଇଁ ପାରିବ ନାହିଁ। ଏବେ ଟ୍ରମ୍ପଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି।

Share