ଏଲ୍‌ଇଡି ବେଲକୁ କୋହଲି, ଫିଞ୍ଚଙ୍କ ବିରୋଧ

ଲଣ୍ଡନ,୧୦।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ ଏଲ୍‌ଇଡି ବେଲକୁ ନେଇ ଖୁସି ନୁହନ୍ତି। ଏଥିରେ ବଲ କିମ୍ବା କିଛି ବାଜିବା ପରେ ଆଲୋକିତ ହେଉଛି, ଯାହା ଟିଭି ଅମ୍ପାୟରଙ୍କ କାର୍ଯ୍ୟକୁ ସହଜ କରୁଛି। ହେଲେ ଅତ୍ୟଧିକ ଓଜନ ଯୋଗୁ ବହୁ ସମୟରେ ବଲ୍‌ ବାଜିଲା ପରେ ମଧ୍ୟ ଏହା ଷ୍ଟମ୍ପରୁ ଅଲଗା ହେଉନାହିଁ। ଚଳିତ ବିଶ୍ୱକପ୍‌ରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ଥର ବଲ ଉଇକେଟରେ ବାଜିଛି ମାତ୍ର ବେଲ ତଳକୁ ଖସୁ ନ ଥିବା ଦେଖିବାକୁ ମିଳିଛି। ବେଲ ନ ଖସିବାର କାରଣ ଅତ୍ୟଧିକ ଓଜନ। ବେଲ ଆଲୋକିତ ହେବା ପାଇଁ ବହୁ ତାର ତା’ ଭିତରେ ରହିଛି। ଅଷ୍ଟ୍ରେଲିଆ ସହ ଭାରତ ବିପକ୍ଷ ମ୍ୟାଚ୍‌ରେ ୫ଥର ସମାନ ଘଟଣା ଘଟିଥିଲା। ଏଥିଲାଗି ଅଷ୍ଟ୍ରେଲିଆନ ଅଧିନାୟକ ନିରାଶ ହେବା ସହ ଏହା ଅନ୍ୟାୟ ବୋଲି କହିଛନ୍ତି। ଏ ସମ୍ପର୍କରେ କୋହଲି କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଏଭଳି କିଛି ହେବ ବୋଲି ତୁମେ କେବେ ଚିନ୍ତା କରି ନ ଥାଅ। ବ୍ୟବହୃତ ଟେକ୍‌ନୋଲୋଜି ଯୋଗୁ ବେଲ ଆଲୋକିତ ହେଉଛି। କିନ୍ତୁ ଷ୍ଟମ୍ପରୁ ଅଲଗା କରିବା ପାଇଁ ତୁମକୁ ବଲରେ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିବ। ଏପରି କି ପେସରମାନେ ମଧ୍ୟ ଷ୍ଟମ୍ପରୁ ବଲ ଅଲଗା କରିପାରୁନାହାନ୍ତି। ବଲ ଷ୍ଟମ୍ପରେ ବାଜୁଛି। ଆଲୋକିତ ମଧ୍ୟ ହେଉଛି। ହେଲେ ବେଲ ସ୍ଥାନ ବଜାୟ ରଖୁଛି। ଏଭଳି ଘଟଣା କୌଣସି ଦଳ ସହ ଘଟିବା ଉଚିତ ନୁହେଁ।

Share