ନୂଆଦିଲ୍ଲୀ, ୨୫।୭: ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ସଂସଦରେ ଆଗତ ହେବାକୁ ଥିବା ତିନି ତଲାକ ବିଲ୍କୁ ନେଇ ଗୁରୁବାର ଗୃହରେ ହଙ୍ଗାମା ହୋଇଛି। କେନ୍ଦ୍ର ସରକାର ତୃତୀୟଥର ପାଇଁ ଲୋକ ସଭାରେ ଏହି ବିଲ୍ ଆଗତ କରିଥିଲେ। ବିଲକୁ ନେଇ ଏକ ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ଏମ୍ପି ଏସଟି ହସନ। ସେ କହିଛନ୍ତି, ସ୍ତ୍ରୀଙ୍କୁ ଗୁଳି ମାରିଦେବାଠାରୁ ତିନି ତଲାକ ଦେଇ ମାମଲାକୁ ସମାଧାନ କରିଦେବା ଭଲ। କୌଣସି ସମ୍ପ୍ରଦାୟର ନିୟମରେ ସରକାର ଅଯଥା ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ବେଳେବେଳେ ପରିସ୍ଥିତି ଏମିତି ଆସେ, ଯେତେବେଳେ ତଲାକ୍ ଦେବା ହିଁ ଏକମାତ୍ର ରାସ୍ତା ବୋଲି ଧରିନିଆଯାଏ। ତେଣୁ ଏଭଳି ନିୟମକୁ ସରକାର ଭାଙ୍ଗିଦେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।