ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା ସମୟରେ ଟାଣ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିରେ ହାଡ଼ ଘଷି ହୋଇ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ତେବେ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ ଦ୍ୱାରା ଏହି ସମସ୍ୟାରୁ ଜଣେ ସହଜରେ ଦୂରେଇ ରହିପାରିବେ। ଖାଦ୍ୟରେ ପନିପରିବା ଏବଂ ଫଳକୁ ସାମିଲ୍‌ କଲେ ସୁଫଳ ମିଳିଥାଏ। ସପ୍ତାହରେ ୨ଥର ମାଛ ଖାଇଲେ ଏଭଳି ସମସ୍ୟା ଦୂର ହୋଇଥାଏ। ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଏହି ସମସ୍ୟା ଦୂର କରିଥାଏ। ସେହିପରି ସୋୟାବିନ୍‌ ଖାଇଲେ ଏଥିରେ ଥିବା ପ୍ରୋଟିନ୍‌ ଯୋଗୁ ଆର୍ଥରାଇଟିସ୍‌ ହୋଇ ନ ଥାଏ। ଏହି ସମସ୍ୟା କ୍ଷେତ୍ରରେ କମ୍‌ କୋଲଷ୍ଟରଲଯୁକ୍ତ ତେଲ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ। ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଇଲେ ଏହା କ୍ୟାଲସିୟମ୍‌କୁ ଅବଶୋଷିତ କରିଥାଏ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କୋବି, ବ୍ରୋକୋଲି ଆଦି ଖାଇଲେ ଶରୀରରେ କ୍ୟାଲସିୟମ୍‌ ସୃଷ୍ଟି ହେବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ଏହି ରୋଗ ଦୂର ହୋଇଥାଏ। ଏଭଳି ସମସ୍ୟା ଥିଲେ ଦିନରେ ୨ ଥର ଗ୍ରୀନ୍‌ ଟି ପିଇଲେ ଉପକାର ମିଳିଥାଏ। ଏଥିରେ ଥିବା ଇପିଗାଲୋକାଚିନ୍‌-୩- ଗାଲୋଟେ ଗଣ୍ଠି ସ୍ଥାନରେ ଥିବା ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିକୁ ଟାଣ ହେବାକୁ ଦେଇ ନ ଥାଏ। ଫଳରେ ଚାଲିବା ବୁଲିବା ସମୟରେ କଷ୍ଟ ଅନୁଭୁତ ହୋଇ ନ ଥାଏ। କମଳା ଜାତୀୟ ଫଳ ଖାଇଲେ ଏଥିରେ ଥିବା ଭିଟାମିନ୍‌ ସି ଯନ୍ତ୍ରଣାରୁ ଦୂରେଇ ରଖିଥାଏ। ପ୍ରତିଦିନ ସକାଳେ ଦୁଇ କୋଲା ରସୁଣ ଖାଇଲେ ଏଥିରେ ଥିବା ଡାଇଲୟାଲ ଡାଇସୁଲଫାଇନ୍‌ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିକୁ ଶୁଷ୍କ ହେବାକୁ ଦେଇ ନ ଥାଏ। ଚିନା ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ଭିଟାମିନ୍‌-ଇ ଏହି ସମସ୍ୟାରୁ ଦୂରେଇ ରଖିଥାଏ।

Share