କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକାଦଶୀରେ ଚତୁର୍ମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ କରିଥାନ୍ତି। ପଦ୍ମପୁରାଣରେ ଉଲ୍ଲେଖ ଅଛି ବ୍ରହ୍ମାଙ୍କ ଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ର ଦେବ ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଥିଲେ। ଫଳରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା। ବଡ଼ଓଷାରେ ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ବତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି। ଏହାକୁ ଗଜ ପିଠା କୁହାଯାଏ। ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ। ଗଜ ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରିନ୍ତି।