ଏସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ ଟ୍ୟୁମର

ରୋଗ ଯେତେ ବଡ଼ ହେଉନା କାହିଁକି, ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ବେଶ୍‌ ଅଧିକ ରହିଥାଏ। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠିକ୍‌ ସମୟରେ ରୋଗ ନିରୂପଣ କରିବା। ରୋଗ ନିରୂପଣ କରିବାକୁ ହେଲେ ଏହାର ଲକ୍ଷଣକୁ ପ୍ରଥମେ ଜାଣିବାକୁ ପଡ଼ିବ। ଅନ୍ୟ ରୋଗ ଭଳି ବ୍ରେନ ଟ୍ୟୁମର ହେଲେ ମଧ୍ୟ ଶରୀରରେ କିଛି ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ସମ୍ପର୍କରେ ଲୋକେ ଅବଗତ ରହିଲେ ଏହାକୁ ଆଗୁଆ ଚିହ୍ନଟ କରାଯାଇ ଉଚିତ ସମୟରେ ଚିକିତ୍ସା ମଧ୍ୟ କରାଯାଇପାରିବ।
ରୋଗର ଲକ୍ଷଣ:
* ବ୍ରେନ ଟ୍ୟୁମର ହୋଇଥିଲେ ରୋଗୀଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ।
କୌଣସି କାର୍ଯ୍ୟ କରୁଥିବା ସମୟରେ କିମ୍ବା ସକାଳୁ ଶୋଇ ଉଠିବା ପରେ ମୁଣ୍ଡରେ ଯନ୍ତ୍ରଣା ହୁଏ।
* ଶିରାପ୍ରଶିରାରେ ଯନ୍ତ୍ରଣା ଅନୁଭୂତ ହେବା ଓ ବାତ ମାରିବା ଭଳି ଲକ୍ଷଣ ଦେଖାଦେଇଥାଏ।
*ଅନେକ ସମୟରେ ଚେତାଶୂନ୍ୟ ହୋଇଯିବା ସହ ଶରୀରର ଅଙ୍ଗ ଉପରେ ନିୟନ୍ତ୍ରଣ ରହି ନ ଥାଏ। ଏଥିସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ।
*ଚର୍ମର ରଙ୍ଗ ପରିବର୍ତ୍ତନ ହେବା ସହ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ। କେବଳ ସେତିକି ନୁହେଁ, ସମୟ ସମୟରେ ଥକା ଲାଗିବା, ବାନ୍ତି ଓ ଶୋଇବାରେ ମଧ୍ୟ ସମସ୍ୟା ଉପୁଜିଥାଏ।
*କହିବା ଓ ଶୁଣିବାରେ ଅସୁବିଧା, ଉପରକୁ ଦେଖିବାରେ କଷ୍ଟ ଏବଂ ଖାଦ୍ୟ ଖାଇବା ସମୟରେ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଅନ୍ୟମନସ୍କ ଓ ଚିନ୍ତିତ ରହିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। କାରଣ ବ୍ରେନ୍‌ ଟ୍ୟୁମର ହେଲେ ଏଭଳି ଲକ୍ଷଣ ଦେଖାଦେଇଥାଏ।