Categories: ଖେଳ

ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: କାଜାଖସ୍ତାନଙ୍କୁ ହରାଇଲା ଭାରତ

ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଏହାର ଓପନିଂ ଗ୍ରୁପ୍‌ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ ପରାସ୍ତ କରିଛି। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍‌ ଏବଂ ଶୁଭଙ୍କର ଦେ ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ଶ୍ରୀକାନ୍ତ ମାତ୍ର ୨୩ ମିନିଟ୍‌ରେ ଦିମିତ୍ରି ପାନାରିନ୍‌ଙ୍କୁ ୨୧-୧୦, ୨୧-୭ରେ ହରାଇ ଦେଇଛନ୍ତି। ଆର୍ତର ନିୟାଜୋଭଙ୍କ ବିପକ୍ଷ ମ୍ୟାଚକୁ ସେନ୍‌ ୨୧-୧୩, ୨୧-୮ରେ ଜିତିଥିଲେ। ଏହି ମ୍ୟାଚ ୨୧ ମିନିଟରେ ଶେଷ ହୋଇଥିଲା। ସେହିପରି ତୃତୀୟ ସିଙ୍ଗଲ୍ସରେ ଦେ ୨୧-୧୧, ୨୧-୫ରେ କ୍ଷେତମୁରାତ କୁଲ୍‌ମାତୋଭଙ୍କୁ ୨୧-୧୧, ୨୧-୫ରେ ପରାସ୍ତ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ ସିଙ୍ଗଲ୍ସ ପରିବର୍ତ୍ତେ ଡବଲ୍ସ ଖେଳିଥିଲେ। ସେ ଓ ଚିରାଗ ଶେଟ୍ଟି କିନ୍ତୁ କାଜାଖସ୍ତାନ ଯୋଡ଼ି ନିୟାଜୋଭ ଏବଂ ପାନାରିନ୍‌ ଯୋଡ଼ିଙ୍କଠାରୁ ୨୧-୧୮, ୧୬-୨୧, ୧୯-୨୧ରେ ପରାଜିତ ହୋଇଯାଇଥିଲେ। ତେବେ ଦ୍ୱିତୀୟ ଡବଲ୍ସରେ ଏମ୍‌. ଆର. ଅର୍ଜୁନ ଏବଂ ଧ୍ରୁବ କାପିଲା ୨୧-୧୪, ୨୧-୮ରେ ପ୍ରତିପକ୍ଷ ଯୋଡ଼ି ନିକିତା ବ୍ରାଗିନ୍‌ ଏବଂ କ୍ଷେତମୁରାତ କୁଲମାତୋଭଙ୍କୁ ୨୧-୧୪, ୨୧-୮ରେ ହରାଇ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୬ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ପୁରୁଷ ଦଳ ପ୍ରଥମେ ଦୁଇଥର ଚାମ୍ପିୟନ ଇଣ୍ଡୋନେସିଆ ଏବଂ ଆୟୋଜକ ଫିଲିପାଇନ୍ସ ସହିତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିଲା। ମାତ୍ର କରୋନା ଭାଇରସ ପାଇଁ ଚାଇନା ଓ ହଂକଂଙ୍କୁ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଇଥିବାରୁ ମାଲେସିଆ ଓ କାଜାଖସ୍ତାନ ସହ ଭାରତ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ଭାରତ ଏହି ଚାମ୍ପିୟନଶିପ୍‌କୁ ଶ୍ରେଷ୍ଠ ପୁରୁଷ ଦଳ ପଠାଇଥିବାରୁ ପଦକ ଜିତିବା ଯଥେଷ୍ଟ ସମ୍ଭାବନା ରହିଛି। ଅଲିମ୍ପିକ ବର୍ଷ ଦୃଷ୍ଟିରୁ ଖେଳାଳିଙ୍କ ପାଇଁ ର଼୍ୟାଙ୍କିଙ୍ଗ ପଏଣ୍ଟ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ଯୋଗୁ ଚାଇନାରେ ଇତିମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି। ସଂକ୍ରମଣ ଆଶଙ୍କାରେ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଦଳ ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ନ କରିବା ଲାଗି ନିଷ୍ପତ୍ତି ନେଇଥିଲା।

Share