Categories: ଖେଳ

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ପ୍ରତିଯୋଗିତାରେ ନିଜ ଚମକ୍‌ ଛାଡ଼ିବାରେ ସଫଳ ହୋଇଛନ୍ତି। ମହିଳା ୪୫ କିଗ୍ରା ବର୍ଗରେ ପ୍ରତିନିଧିତ୍ୱ କରୁଥିବା ଝିଲ୍ଲୀ ରୌପ୍ୟ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଝିଲ୍ଲୀ ସ୍ନାଚରେ ୭୧ ଓ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୯୧ କିଗ୍ରା ସହ ମୋଟ୍‌ ଉପରେ ୧୬୨ କିଗ୍ରା ଭାର ଉଠାଇ ୨ୟ ସ୍ଥାନରେ ରହିବା ସହ ରବିବାର ଭାରତ ପାଇଁ ପଦକ ଖାତା ଖୋଲିଥିଲେ। ଭିଏତ୍‌ନାମର ଭୋଉଙ୍ଗ୍‌ ଥି ହ୍ୟୁନ୍‌ (୭୬+୯୨=୧୬୮) ଏହି ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଏହି ଓଜନ ବର୍ଗ ଅଲିମ୍ପିକ୍ସରେ ସାମିଲ ନାହିଁ।

କିଗ୍ରା ଓଜନ ବର୍ଗରେ ଲଢ଼ୁଥିବା ୨୪ ବର୍ଷୀୟା ମୀରାବାଇ ସ୍ନାଚରେ ୮୬ କିଗ୍ରା ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୩ କିଗ୍ରା ସହ ମୋଟ୍‌ ଉପରେ ୧୯୯ କିଗ୍ରା ଭାର ଉଠାଇଥିଲେ। ମୀରାବାଇଙ୍କ ମୋଟ୍‌ ଉପରେ ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥିପୂର୍ବରୁ ସେ ଚଳିତ ବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏଗଟ୍‌ କପ୍‌ର ୪୯ କିଗ୍ରା ବର୍ଗରେ ୧୯୨ କିଗ୍ରା ଭାର ଉଠାଇଥିଲେ। ଚାଇନାର ଝାଙ୍ଗ୍‌ ରୋଙ୍ଗ ସମାନ ୧୯୯ (୮୮+୧୧୧) କିଗ୍ରା ଭାର ଉଠାଇଥିଲେ ମଧ୍ୟ ନୂତନ ନିୟମ ଅନୁଯାୟୀ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ନିୟମ ଅନୁଯାୟୀ ଯେଉଁ ପ୍ରତିଯୋଗୀଙ୍କର କ୍ଲିନ୍‌ ଆଣ୍ଡ୍‌ ଜର୍କରେ କମ୍‌ ରେଜଲ୍ଟ ଥିଲେ ମଧ୍ୟ ଯଦି ସେ ସ୍ନାଚରେ ଅଧିକ ଭାର ଉଠାଇଥାନ୍ତି ତେବେ ତାଙ୍କ ର଼୍ୟାଙ୍କ୍‌ ପ୍ରତିପକ୍ଷଙ୍କ ଉପରେ ରହିବ। ଚାଇନାର ହୋଉ ଝିହୁଇ ୨୦୮ (୯୨+୧୧୬) କିଗ୍ରା ସହ ସ୍ବର୍ଣ୍ଣ ଏବଂ ନର୍ଥ କୋରିଆର ରି ସଙ୍ଗ୍‌-ଗମ୍‌ ୨୦୦ (୮୬+୧୧୪) କିଗ୍ରା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁର ତାରକା ମୀରାବାଇ କିନ୍ତୁ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଓ ମହାଦେଶୀୟ ପ୍ରତିଯୋଗିତା ଗୁଡ଼ିକରେ ସ୍ନାଚ ଓ କ୍ଲିନ୍‌ ଆଣ୍ଡ୍‌ ଜର୍କର ପ୍ରଦର୍ଶନକୁ ଦେଖି ବ୍ୟକ୍ତିଗତ ଭାବେ ପଦକ ପ୍ରଦାନ କରାଯାଇଥାଏ। ଅଲିମ୍ପିକ୍ସରେ କିନ୍ତୁ ପ୍ରତିଯୋଗୀ ଉଠାଇଥିବା ମୋଟ୍‌ ଓଜନକୁ ହିସାବକୁ ନେଇ ପଦକ ଦିଆଯାଇଥାଏ॥

Share