Categories: ଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାଗନେବ ପାକିସ୍ତାନ; ଚାଇନା ସଂକ୍ରାନ୍ତରେ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,୧୭।୨(ପି.ଟି.)- ଏଠାରେ ଆସନ୍ତା ୧୮ରୁ ୨୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଯାଉଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଦୂର ହୋଇଛି। ଭାରତ ସରକାର ପାକିସ୍ତାନ ପ୍ରତିଯୋଗୀଙ୍କୁ ଭିଜା ପ୍ରଦାନ କରିଛନ୍ତି। ଫଳରେ ପାକିସ୍ତାନ ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି। ତେବେ ଚାଇନାର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିବେ କି ନା, ସେ ସଂକ୍ରାନ୍ତରେ ସୋମବାର ନିଷ୍ପତ୍ତି ନିଆଯିବ। ପାକିସ୍ତାନର ଅଂଶଗ୍ରହଣ ନେଇ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟଏଫ୍‌ଆଇ) ସମ୍ପାଦକ ବିନୋଦ ତୋମାର ସ୍ପଷ୍ଟ କରିଛନ୍ତି। ସବୁ ପାକିସ୍ତାନ ଖେଳାଳିଙ୍କୁ ଶନିବାର ଭିଜା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ଭିଜା ପ୍ରଦାନ ପ୍ରକ୍ରିୟାରେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ୪ ଜଣ ପାକିସ୍ତାନ ଫ୍ରି ଷ୍ଟାଇଲ ରେସ୍‌ଲର, ଜଣେ କୋଚ୍‌ ଓ ଜଣେ ରେଫରି ଏହି ପ୍ରତିଯୋଗିତାରେ ଭାଗନେବେ।
ଗତବର୍ଷ ଫେବୃୟାରୀରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଇତିମଧ୍ୟରେ ଗୋଟିଏ ବର୍ଷ ଅତିବାହିତ ହୋଇଯାଇଛି। ଏହି ଘଟଣା ପରେ ପ୍ରଥମଥର ପାଇଁ କୌଣସି ସ୍ପୋର୍ଟିଂ ଇଭେଣ୍ଟରେ ଭାଗନେବାକୁ ପାକିସ୍ତାନ ଦଳ ଭାରତ ଆସୁଛି। ପାକିସ୍ତାନ ତରଫରୁ ମହମ୍ମଦ ବିଲାଲ (୫୭ କେ.ଜି.), ଅବ୍‌ଦୁଲ ରେହମାନ (୭୪ କେ.ଜି.), ତାୟାବ ରାଜା (୯୭ କେ.ଜି.) ଓ ଜମାନ ଅନ୍‌ଓ୍ବର (୧୨୫ କେ.ଜି.) ଅଂଶଗ୍ରହଣ କରିବେ।
କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଚାଇନା ରେସ୍‌ଲରଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ସୋମବାର ସ୍ଥିତି ସ୍ପଷ୍ଟ କରାଯିବ। କରୋନା ଭାଇରସ୍‌ରେ ଚାଇନାରେ ଏବେ ସୁଦ୍ଧା ୧୫୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ଭାରତ ସରକାର ମଧ୍ୟ ଚାଇନା ନାଗରିକଙ୍କୁ ଇ-ଭିଜା ଦେବା ପ୍ରକ୍ରିୟାକୁ ବାତିଲ କରିଛନ୍ତି। ଏବେ କରୋନା ଭାଇରସ୍‌ ସାରା ବିଶ୍ୱ ପାଇଁ ବିପଦ ରୂପେ ଦେଖାଦେଇଛି ଏବଂ ଏହାକୁ ନେଇ ଚିନ୍ତା ମଧ୍ୟ ସୃଷ୍ଟି କରିଛି।

Share