Categories: ଖେଳ

ଏସିଆନ ରୋଡ ପାରା-ସାଇକ୍ଲିଂ: ଭାରତକୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ନୂଆଦିଲ୍ଲୀ,୩୦।୪(ପି.ଟି.)- ଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍‌ ରୋଡ ପାରା- ସାଇକ୍ଲିଂ ଚାମ୍ପନ୍‌ଶିପ୍‌ରେ ଭାରତୀୟ ପାରାଆଥଲେଟ୍ସମାନେ ଦମ୍‌ଦାର ପ୍ରଦର୍ଶନ କରି ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଭାରତର ଦିଭିଜ ଶାହ ତାଙ୍କ ଉନ୍ନତ ପ୍ରଦର୍ଶନ ଜାରି ରଖି ସି୫ କାଟାଗୋରିରେ କ୍ରମାଗତ ତୃତୀୟଥର ପାଇଁ ରୌପ୍ୟପଦକ ହାସଲ କରିଛନ୍ତି। ଏପ୍ରିଲ ୨୩ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହୋଇଥିବା ଏହି ଚାମ୍ପିୟନଶିପରେ ୨୮ଟି ଦେଶରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ଏସିଆନ ପାରାଗେମ୍ସ ବ୍ରୋଞ୍ଜ୍‌ ମେଡାଲିଷ୍ଟ ଗୁରଲାଲା ସିଂ ଏକମାତ୍ର ସାଇକ୍ଳିଷ୍ଟ ଭାବେ ଏସିଆନ୍‌ ଗେମ୍ସ ସ୍ତରରେ ପଦକ ଜିତିଛନ୍ତି। ସେ ସି୪ ସେକ୍‌ସନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହାରାଷ୍ଟ୍ରର ହ୍ୟାଣ୍ଡ ସାଇକ୍ଲିଷ୍ଟ ସୁଧାକର ମରାଠେ ପଦାର୍ପଣରେ ପଦକ ହାସଲ କରିଛନ୍ତି। ସେ ଏଚ୍‌୫ କାଟାଗୋରିରେ ବ୍ରୋଞ୍ଜ୍‌ ଜିତିଛନ୍ତି। ଉଲ୍ଲେଖଥାଉ କି, ଗତ ଦୁଇବର୍ଷ ହେବ ଭାରତୀୟ ପ୍ରତିଯୋଗୀମାନେ ଦୁଇଟି ସଂସ୍କରଣରେ ଗୋଟିଏ ରୌପ୍ୟ ଓ ବ୍ରୋଞ୍ଜ୍‌ ଜିତିଛନ୍ତି। ଦିଭିଜ ଶାହା ରୌପ୍ୟ ଜିତିଥିବା ବେଳେ ହରିନ୍ଦର ସିଂ ବ୍ରୋଞ୍ଜ୍‌ ଜିତିଥିଲେ। ସାଇକ୍ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆର (ସିଏଫ୍‌ଆଇ) ଓ ଆଦିତ୍ୟ ମେହେଟ୍ଟା ଫାଉଣ୍ଡେଶନ (ଏଏମ୍‌ଏଫ୍‌)କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ଦିଭିଜ୍‌। ଏହି ଦୁଇ ସଂସ୍ଥା ମୋତେ ବହୁତ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

Share