Categories: ଖେଳ

ଏସିଆନ ୟୁଥ୍‌ ବକ୍ସିଂ: ଭାରତକୁ ୬ ପଦକ ମିଳିବା ନିଶ୍ଚିତ

ଉଲାନବାତାର,୧୪।୧୧(ପି.ଟି.)- ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ପ୍ରତିଯୋଗୀମାନେ ବୁଧବାର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଥିରେ ୬ ଭାରତୀୟ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତକୁ ଅତିକମ୍‌ରେ ୬ଟି ପଦକ ମିଳିବା ନିଶ୍ଚିତ ହୋଇଛି। ୪୯ କେ.ଜି. ବର୍ଗରେ ସୋଏ ସିଲେ, +୯୧ କେ.ଜି. ବର୍ଗରେ ଅମନ, ୬୦ କେ.ଜି.ରେ ଅଙ୍କିତ ନରଓ୍ବାଲ, ୫୧ କେ.ଜି. ବର୍ଗରେ ନାଓରେମ ଚାନୁ, ୫୭ କେ.ଜି. ବର୍ଗରେ ଜାସମିନ୍‌ ଓ ୬୪ କେ.ଜି. ବର୍ଗରେ ଭିନ୍‌କା ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ପୁରୁଷ ବିଭାଗରେ ସିଲେ କ୍ୱାର୍ଟର ଫାଇନାଲରେ ଫିଲିପାଇନ୍ସର ଫ୍ଲିଣ୍ଟ ଜାରାଙ୍କୁ ୫-୦ରେ ହରାଇଥିବା ବେଳେ ଅମନ ତାଇଓ୍ବାନର କାଇ- ସୁଙ୍ଗ୍‌ ଓ୍ବାଙ୍ଗଙ୍କୁ ପରାସ୍ତ କରିଥିଲେ। ସେହିପରି ନରଓ୍ବାଲ ୫-୦ରେ ତାଇଓ୍ବାନର ୟୁ ଲିନ୍‌ଙ୍କୁ ହରାଇ ସେମିରେ ପ୍ରବେଶ କରିଥିଲେ। ଅପରପକ୍ଷରେ ମହିଳା ବିଭାଗରେ ଚାନୁ ୫-୦ରେ କୋରିଆର ଇୟୁନ୍‌ସୁ ସୁନ୍‌ ପରାସ୍ତ କରି ସେମିକୁ ଉଠିଥିଲେ। ସେହିପରି ପୂର୍ବର ଦମ୍‌ଦାର ପ୍ରଦର୍ଶନ ପାଇଁ ଜାସମିନ ଓ ଭିନ୍‌କା ଫାଇଦାରେ ରହିଥିଲେ। ଜାସମିନ୍‌ ଜାପାନର କିମୁରା ମୋନା ଓ ଭିନ୍‌କା ତାଇଓ୍ବାନର ସୁଏହଜୁ ସୁଇଙ୍କୁ ପଛରେ ପକାଇ ସେମିରେ ପ୍ରବେଶ କରିଥିଲେ।
ତେବେ ୬୦ କେ.ଜି.ରେ ନେହା କାସନିଲ ଓ ୫୨ କେ.ଜି.ରେ ରୋହିତ ମୋର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। କାସନିଲ ୨-୩ରେ କୋରିଆର ମିହ୍ୟୁନ ଜୋଠାରୁ ପରାସ୍ତ ହୋଇଥିବା ବେଳେ ମୋର ଥାଇଲାଣ୍ଡର ସୁରାଉତ ସୁଖଟେଟଙ୍କଠାରୁ ୨-୩ରେ ପରାସ୍ତ ହୋଇଥିଲେ।

Share