Categories: ଖେଳ

ଏସିଆ କପ୍‌ ସାଇକ୍ଲିଂ: ପଦକ ତାଲିକାର ଶୀର୍ଷରେ ଭାରତ

ନୂଆଦିଲ୍ଲୀ, ୧୨।୯ (ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ସ୍ପୋଟର୍‌ସ କମ୍ପେକ୍ସଠାରେ ଅନୁଷ୍ଠିତ ଟ୍ରାକ୍‌ ଏସିଆ କପ୍‌ ସାଇକ୍ଲିଂ ପ୍ରତିଯୋଗିତାରେ ଭାରତର ରୋନାଲ୍ଡୋ ଲାଇତୋଞ୍ଜାମ ବ୍ୟକ୍ତିଗତ ୪ର୍ଥ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ଏହି ପ୍ରତିଯୋଗିତାର ପଦକ ତାଲିକାର ଶୀର୍ଷରେ ରହି ଚାମ୍ପିୟନ ହୋଇଛି। ଭାରତ ମୋଟ୍‌ ୧୦ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ମୋଟ୍‌ ୨୫ ପଦକ ଜିତି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ବୁଧବାର ଅନ୍ତିମ ଦିବସରେ ଘରୋଇ ଭାରତ ୨ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା। ପଦକ ତାଲିକାରେ ୪ ସ୍ବର୍ଣ୍ଣ ଓ ୩ ରୌପ୍ୟ ଜିତି ଉଜବେକିସ୍ତାନ ୨ୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ରୋନାଲ୍ଡୋ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଅନ୍ତିମ ଦିବସରେ ଅନୁଷ୍ଠିତ ପୁରୁଷ ବିଭାଗ ଜୁନିୟର କେଇରିନ ଇଭେଣ୍ଟରେ ପ୍ରଥମ ସ୍ଥାନ ହାସଲ କରି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛନ୍ତି, ଯାହା ତାଙ୍କୁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାରେ ସହାୟତା କରିବ। ସେହିଭଳି ଦୁଇ ଭାରତୀୟ ସାଇକ୍ଲିିଷ୍ଟ ଦେବୋରୋହ ହାରୋଲ୍ଡ ଓ ମୟୁରୀ ଲୁଟେ ମହିଳା ଏଲିଟ୍‌ କେଇରିନ ଇଭେଣ୍ଟରେ ନିରାଶ କରିଥିଲେ।

Share