Categories: ଖେଳ

ଏସିଆ କପ୍‌ ପାଇଁ ବଢ଼ିଆ ପ୍ରସ୍ତୁତି: ଷ୍ଟିମାକ୍‌

ଭୁବନେଶ୍ୱର, ୯ା୬(ସ୍ପୋଟର୍‌ସ ବ୍ୟୁରୋ): ଶୁକ୍ରବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ। ଆୟୋଜକ ଭାରତ ସମେତ ଭାନୁଆଟୁ, ମଙ୍ଗୋଲିଆ ଓ ଲେବାନନ ଅଂଶଗ୍ରହଣ କରୁଛନ୍ତି। ୨୦୧୯ରେ ଉତ୍ତର କୋରିଆ ଚାମ୍ପିୟନ ହୋଇଥିଲା। ଏଥର ଆୟୋଜକ ଦଳ ଭାବେ ଭାରତ ଖେଳିବାକୁ ସୁଯୋଗ ପାଇଥିବାବେଳେ ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ(ଏଏଫ୍‌ସି)ରୁ ଲେବାନନ ଓ ମଙ୍ଗୋଲିଆ ଏବଂ ଓସେନିଆ ଫୁଟବଲ କନ୍‌ଫେଡେରେଶନ(ଓଏଫ୍‌ସି)ରୁ ଭାନୁଆଟୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାନୁଆଟୁ (୧୬୪) ଓ ଲେବାନନ(୯୯) ପରସ୍ପର ସମ୍ମୁଖୀନ ହେବେ। ସନ୍ଧ୍ୟାରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୦୧ ତମ ସ୍ଥାନରେ ଥିବା ଆୟୋଜକ ଭାରତ ଅନ୍ୟତମ ଦଳ ମଙ୍ଗୋଲିଆକୁ ଭେଟିବ। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାନୁଆଟୁ ଦଳ ପହଞ୍ଚି ପାରି ନ ଥିବା ବେଳେ ଭାରତ, ମଙ୍ଗୋଲିଆ ଓ ଲେବାନନ ଦଳର ଅଧିନାୟକ ଓ କୋଚ୍‌ ଏଥିରେ ଯୋଗ ଦେଇଥିଲେ। ଭାରତ ପକ୍ଷରୁ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ ଓ ଅଧିନାୟକ ସୁନୀଲ ଛେତ୍ରୀ ଏହି ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତୀୟ ଦଳ ୩ ସପ୍ତାହ ହେଲାଣି ଭୁବନେଶ୍ୱରରେ ରହି ଅଭ୍ୟାସ ଜାରି ରଖିଥିବା ବେଳେ ଏହି ଟୁର୍ନାମେଣ୍ଟ ଏସିଆ କପ୍‌ ପାଇଁ ଭଲ ପ୍ରସ୍ତୁତି ବୋଲି କହିଛନ୍ତି ଭାରତୀୟ କୋଚ୍‌ ଇଗୋର ଷ୍ଟିମାକ୍‌। ଭାରତ ଏହି ଟୁର୍ନାମେଣ୍ଟ ପାଇଁ କଠିନ ପରିଶ୍ରମ କରିଛି। ଏସିଆ କପ୍‌ରେ ସାମାନ୍ୟ ଶକ୍ତିଶାଳୀ ଦଳ ରହିବେ, ମାତ୍ର ଏହି ଟୁର୍ନାମେଣ୍ଟରେ ମଧ୍ୟ ସମସ୍ତ ଦଳ ବେଶ୍‌ ଶକ୍ତିଶାଳୀ ଅଛନ୍ତି ବୋଲି ଷ୍ଟିମାକ୍‌ କହିଛନ୍ତି। ଲେବାନନ ଭାରତଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ରହିଥିବା ବେଳେ ମଙ୍ଗୋଲିଆ ଦଳରେ ଏକାଧିକ ଯୁବ ଖେଳାଳି ରହିଛନ୍ତି। ସେହିପରି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଓଡ଼ିଶାର ଆତିଥେୟତାକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଓଡ଼ିଶାରେ ଖେଳିବାର ମଜା ନିଆରା ଓ ଏଠାକାର ଦର୍ଶକ ବେଶ୍‌ ସମର୍ଥନ କରିଥାନ୍ତି। ଭାରତୀୟ ଦଳରେ ଯୁବ ଖେଳାଳି ଓ ଅଭିଜ୍ଞତାର ଏକ ସନ୍ତୁଳନ ରହିଛି, ଯାହା ଦଳକୁ ବିଜୟୀ ହେବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଲେବାନନ ଦଳର ମୁଖ୍ୟ କୋଚ ଆଲେକଜାଣ୍ଡାର ଇଲିକ୍‌, ଅଧିନାୟକ ହସନ ମାଟୌକ ଓ ମ୍ୟାନେଜର ଫୌଆଦ୍‌ ବଲ୍ହାଓ୍ବାନ ଯୋଗ ଦେଇଥିଲେ। ଭାନୁଆଟୁ ଦଳ ପହଞ୍ଚି ପାରି ନ ଥିବା ବେଳେ ମଙ୍ଗୋଲିଆ ପକ୍ଷରୁ ମୁଖ୍ୟ କୋଚ୍‌ ଇଚିରୋ ଓଟସୁକା ଓ ଅଧିନାୟକ ଖୁରେଲବାଟର ସେଣ୍ଡ ଆୟୁଷ ଯୋଗ ଦେଇଥିଲେ।

Share