Categories: ଜାତୀୟ

ଏସିପି ବଖାଣିଲେ ଦିଲ୍ଲୀ ହିଂସାର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ, ୨୯।୨: ଗତ କିଛି ଦିନ ହେଲା ଦେଶର ରାଜଧାନୀ ଅଶାନ୍ତି ରହିଥିବା ବେଳେ ୫ଦିନ ପରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମଳିଛି। ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୪୩ ଜଣଙ୍କର ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ କେତେକ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଜଣେ ହେଡ୍‌ କନ୍‌ଷ୍ଟେବଳ ଶହୀଦ ହୋଇଛନ୍ତି। ଏହି ସାମ୍ପ୍ରଦାୟିକ ହିଂସା କେତେ ଭୟଙ୍କର ଥିବା ତାହା ଦିଲ୍ଲୀର ଗଳିକନ୍ଦିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି। ଇତିମଧ୍ୟରେ ଗୋକୁଲପୁରୀର ଏସ୍‌ପି ଆହତ ଅନୁଜ କୁମାର ସେହି ଦିନର ଘଟଣା ବିଷୟରେ ବଖାଣିଛନ୍ତି। ଫେବୃୟାରୀ ୨୪ ସକାଳ ୧୧ଟାରେ ଚାନ୍ଦବାଗ ମଜାରରୁ ୮୦-୧୦୦ ମିଟର ଦୂରରେ ଅନୁଜ, ରତନଲାଲ ଓ ଅନ୍ୟ ପୋଲିସକର୍ମୀ ଡ୍ୟୁଟିରେ ମୁତୟନ ହୋଇଥିଲେ। ୨୩ତାରିଖରେ ବନ୍ଦ ଥିବା ବଜିରାବାଦ ରୋଡକୁ ଖୋଲିବା ପାଇଁ ନିର୍ଦ୍ଦେଶ ରହିଥିଲା। ସେହି ଦିନ ବଜିରାବାଦ ରୋଡରେ ମହିଳାଙ୍କ ସମେତ ଧିରେ ଧିରେ ଲୋକ ଏକତ୍ରିତ ହୋଇଥିଲେ। ତାଙ୍କୁ ପୋଲିସ ବହୁ ବୁଝାସୁଝା କରିଥିଲା। ହେଲେ ବିକ୍ଷୋଭକାରୀ ନିଜ ଜିଦ୍‌ରେ ଅଟଳ ରହିବା ସହ ସର୍ଭିସ ରୋଡ ଅଭିମୂଖେ ଆଗକୁ ବଢ଼ିଥିଲେ। ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେହି ସମୟରେ କିଛି ଗୁଜବ ପ୍ରଚାର ହେବା ପରେ ସେମାନେ ପୋଲିସକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ପଥରମାଡ଼ ପରେ ମୁତୟନ ହୋଇଥିବା ଫୋର୍ସ ଚାରିଆଡ଼େ ଖେଳିଯାଇଥିଲେ। ସେହି ସମୟରେ ଅନୁଜ ନିଜେ ସୁରକ୍ଷାକର୍ମୀଙ୍କ ସାମ୍ନାରେ ଥିବା ବେଳେ ତାଙ୍କ ସମ୍ମୁଖରେ ହେଡ୍‌ କନ୍‌ଷ୍ଟେବଳ ରତନଲାଲ ଶହୀଦ ହୋଇଥିଲେ ଓ ଡିସିପି ଅମିତ ଶର୍ମା ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ବିକ୍ଷୋଭକାରୀ ପ୍ରାର୍ଦୁଭାବ ଏତେ ବଢ଼ିଯାଇଥିଲା ଯେ ସେତେବେଳେ ଆଉ କିଛି ବୁଦ୍ଧିବାଟ ଦେଖାଯାଇ ନ ଥିଲା। ସିଧା ରାସ୍ତାରେ ଯାଇଥିଲେ ସେମାନେ ସମସ୍ତଙ୍କୁ ମାରିଦେଇଥାନ୍ତେ। ତେଣୁ କିଛି ସମୟ ପରେ ଯମୁନା ବିହାର ରାସ୍ତା ଦେଇ ଅମିତଙ୍କୁ ସାଙ୍ଗରେ ଧରି ମୁଖ୍ୟ ରାସ୍ତାକୁ ଯାଇଥିଲେ ବୋଲି ଏସିପି କହିଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସବୁ ଘଟଣା ଆଜି ବି ଆଖିରେ ନାଚି ଯାଉଛି ଏବଂ ମନେ ପଡ଼ିଲେ ଲୋମଟାଙ୍କୁରି ଯାଉଛି ବୋଲି ଏସିପି ଅନୁଜ କହିଛନ୍ତି।

Share