Categories: ଖେଳ

ଏସିସି ଇମର୍ଜିଂ ଟିମ୍ସ କପ୍‌: ଭାରତକୁ ହରାଇଲା ବାଂଲାଦେଶ

ସାଭର,୧୭।୧୧ (ପି.ଟି.)- ଗୋଟିଏ ପଟେ ବାଂଲାଦେଶ ସିନିୟର ଦଳ ପ୍ରଥମ ଟେଷ୍ଟରେ ଭାରତଠାରୁ ଇନିଂସ ପରାଜୟ ବରଣ କରିଥିବା ବେଳେ ଅନ୍ୟପଟେ ବାଂଲାଦେଶ ଜୁନିୟର ଦଳ ୬ ଉଇକେଟରେ ଭାରତକୁ ପରାସ୍ତ କରିଛି। ସାଭରଠାରେ ଚାଲିଥିବା ଏସିଆନ କ୍ରିକେଟ କାଉନସିଲ (ଏସିସି) ଇମର୍ଜିଂ ଟିମ୍ସ କପ୍‌ରେ ଘରୋଇ ବାଂଲାଦେଶଠାରୁ ଭାରତ ପରାସ୍ତ ହୋଇଛି।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଅରମାନ ଜାଫରଙ୍କ ପ୍ରଦର୍ଶନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ୪୨.୧ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ବାଂଲାଦେଶ ସିନିୟର ଦଳ ପାଇଁ ଟି୨୦ ଖେଳିଥିବା ସୌମ୍ୟ ସରକାର ୬୮ ବଲରୁ ୭୩ ରନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ଅଧିନାୟକ ନାଜମୁଲ ହୋସେନ ଶାଣ୍ଟୋ ୮୮ ବଲରୁ ୯୪ ରନ ସଂଗ୍ରହ କରିଥିଲେ। ଅନ୍ୟପଟେ ଭାରତୀୟ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଟୁର୍ନାମେଣ୍ଟରେ ଭାରତ ପାଇଁ ଏହା ପ୍ରଥମ ପରାଜୟ ସାବ୍ୟସ୍ତ ହୋଇଛି। ତେବେ ଏହା ପୂର୍ବରୁ ଭାରତ ନେପାଳକୁ ହରାଇଥିଲା। ତେବେ ବାଂଲାଦେଶ ତା’ର ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ବାଂଲାଦେଶ ଦଳରେ ୨୦ ବର୍ଷୀୟ ମହମ୍ମଦ ନଇମ ସାମିଲ ରହିଛନ୍ତି। ଉଲ୍ଲେଖଥାଉ କି, ନଇମ ଗତ ରବିବାର ନାଗପୁରରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ବିପକ୍ଷରେ ଲଢ଼ୁଆ ୮୧ ରନ ସଂଗ୍ରହ କରିଥିଲେ।

Share