Categories: ରାଜ୍ୟ

ଏସ୍‌ଆଇଏଚ୍‌ଏମ୍‌ରେ ଡିଗ୍ରୀ ପାଠ୍ୟକ୍ରମକୁ ଅନୁମତି

ଭୁବନେଶ୍ୱର, ୨୭ା୫(ବ୍ୟୁରୋ)- ବଲାଙ୍ଗୀରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌)ରେ ୨୦୧୯-୨୦ ଶିକ୍ଷାବର୍ଷରୁ ଡିଗ୍ରୀ ଶ୍ରେଣୀରେ ପାଠପଢ଼ା ହେବ। ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ପାଠପଢ଼ା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏସ୍‌ଆଇଏଚ୍‌ଏମ୍‌ରେ ହସ୍ପିଟାଲିଟି ଆଣ୍ଡ୍‌ ହୋଟେଲ ଆଡ଼ମିନିଷ୍ଟ୍ରେଶନ (ଏଚ୍‌ଏଚ୍‌ଏ) ବିଷୟରେ ତିନି ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ ପ୍ରଚଳନ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନ୍ୟାଶନାଲ କାଉନ୍‌ସିଲ ଫର୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ୍‌ କ୍ୟାଟରିଂ ଟେକ୍ନୋଲୋଜି (ଏନ୍‌ସିଏଚ୍‌ଏମ୍‌ସିଟି)କୁ ଅନୁରୋଧ କରାଯାଇଥିଲା। ଏହାକୁ କେନ୍ଦ୍ରର ଅନୁମୋଦନ ପରେ ଆସନ୍ତା ଅଗଷ୍ଟରୁ ନୂତନ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ଶିକ୍ଷା ବର୍ଷରେ ୬୦ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖାଯିବ ଓ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ସରିଛି ବୋଲି ଏନ୍‌ସିଏଚ୍‌ଏମ୍‌ସିଟିର ନିର୍ଦ୍ଦେଶକ ଏଲ୍‌.କେ. ଗାଙ୍ଗୁଲି ସୂଚନା ଦେଇଛନ୍ତି। ସେହିଭଳି ଦ୍ୱିତୀୟ ଓ ତୃତୀୟ ବର୍ଷ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଥିବାରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗଠିତ ହୋଇଥିବା ଏସ୍‌ଆଇଏଚ୍‌ଏମ୍‌ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିଆସୁଛି। ଏହି ଶିକ୍ଷାନୁଷ୍ଠାନରେ ସମଗ୍ର ଦେଶରୁ ଛାତ୍ରୀଛାତ୍ରମାନେ ଶିକ୍ଷାଲାଭ କରୁଛନ୍ତି। ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ୪ଟି ବିଭାଗରେ ଶିକ୍ଷାଦାନ କରାଯାଉଛି।

Share