Categories: ଗଞ୍ଜାମ

ଏସ୍‌ଆଇଙ୍କୁ ଛୁରାମାଡ଼ ମାମଲା ଦୋଷୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ,୧୦ା୧୨-୨୦୧୮ରେ ଫୁଲବାଣୀ ଟାଉନ ଥାନାର ତତ୍କାଳୀନ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ତରୁଣ ତପନ ବେହେରାଙ୍କୁ ହୋଇଥିବା ଛୁରାମାଡ଼ ମାମଲାର ବିଚାର କରି ସୋମବାର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି (ସିଜେଏମ୍‌) ରଞ୍ଜିତା ଜ୍ୟୋତିଷି ଦୋଷୀ ଯୁବକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଦଫା ୩୦୭ରେ ୫ ବର୍ଷ, ୩୨୪ରେ ୧ ବର୍ଷ ଓ ୪୨୭ରେ ୬ ମାସ ଜେଲ ଦଣ୍ଡାଦେଶ ଦିଆଯାଇଛି ା ଅଭିଯୁକ୍ତ ହେଲେ ଫୁଲବାଣୀ କ୍ଷେତାପାଜୁ ଗ୍ରାମର ରାଜୀବ ପ୍ରଧାନ ା
ଫୁଲବାଣୀ ବସ୍‌ଷ୍ଟାଣ୍ଡ ପାଖରେ ଥିବା ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ରାଜୀବ କାମ କରୁଥିଲେ ା କୌଣସି ଏକ କଥାକୁ ନେଇ ସେ ଅଫିସରେ ଲାଗିଥିବା ସିସି ଟିଭି କ୍ୟାମେରା ଓ ଆନୁସଙ୍ଗିକ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏ ନେଇ ଅନୁଷ୍ଠାନର ମାଲିକ ସବ୍ୟସାଚୀ ମାହାକୁଲ ଟାଉନ ଥାନାରେ ଏତଲା ଦେଇଥିଲେ ା ୨୦୧୮ ନଭେମ୍ବର ୧୨ ତାରିଖରେ ଥାନାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ତତ୍କାଳୀନ ଏସ୍‌ଆଇ ତଥା ବର୍ତ୍ତମାନ ଚକାପାଦ ଭାରପ୍ରାପ୍ତ ଥାନାଅଧିକାରୀ ଥିବା ବେହେରା ଅଭିଯୁକ୍ତଙ୍କୁ ଧରିବାକୁ ବସ୍‌ଷ୍ଟାଣ୍ଡ ପାଖକୁ ଯାଇଥିଲେ ା ହେଲେ ସେଠାରେ ରାଜୀବ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ ା ଏଥିରେ ବେହେରାଙ୍କ ବେକରେ ଆଘାତ ଲାଗିଥିଲା ା ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ରାଜୀବଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ରାଜୀବଙ୍କ ପକ୍ଷରୁ ଷ୍ଟେଟ ଡିଫେନ୍ସ କାଉନସିଲ ଚନ୍ଦ୍ରଶେଖର ମିଶ୍ର ଏବଂ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଧିରେନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ା