‘ନିର୍ବାଚନରେ କଳାଧନ ରୋକିବାକୁ ନିଆଯିବ ପଦକ୍ଷେପ’

କଟକ ଅଫିସ,୭ା୩: ଗତ ସାଧାରଣ ନିର୍ବାଚନରେ ବିପୁଳ ପରିମାଣରେ କଳାଧନ ବ୍ୟବହାର ହୋଇଛି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା, ନିଶାଦ୍ରବ୍ୟ ଏବଂ ଅଳଙ୍କାର ବଣ୍ଟନ କରାଯାଇଛି। କେଉଁ ରାଜ୍ୟରେ କେତେ ପରିମାଣର କଳାଧନ ବ୍ୟବହାର ହୋଇଥିଲା ସେ ନେଇ ଅନେକ ସୂଚନା ମିଳିଛି। ଫଳରେ ଆଗାମୀ ନିର୍ବାଚନ ସମୟରେ କିଭଳି ଭାବେ କଳାଧନର ବ୍ୟବହାର ରୋକାଯାଇପାରିବ ସେ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଏଜେନ୍ସି ଜରିଆରେ କଳାଧନ ଧରପଗଡ଼ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଳାଧନ ପ୍ରସଙ୍ଗରେ ଗଠିତ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଟିମ୍‌(ଏସ୍‌ଆଇଟି)ର ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ। କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ୍‌ ପଶାୟତଙ୍କ ବାସଭବନରେ ଶନିବାର କଳାଧନ ସମ୍ପର୍କିତ ଏସ୍‌ଆଇଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ନିର୍ବାଚନ ଆୟୋଗ(ଇସିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ସିବିଆଇ, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ, ଆୟକର ବିଭାଗ, ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି), ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ୍‌ସ(ସିବିଆଇଟିସି), ଅର୍ଥନୈତିକ ଗୋଇନ୍ଦା ୟୁନିଟ୍‌(ଏଫ୍‌ଆଇୟୁ), ରାଜ୍ୟ ଭିଜିଲାନ୍ସ, ବାଣିଜ୍ୟକର, ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ ସହ ପ୍ରାୟ ୧୮ଟି ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Share