Categories: ବାଣିଜ୍ୟ

ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ:ଧର୍ମେନ୍ଦ୍ର

ଭୁବନେଶ୍ୱର,୫-୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ ରାଜ୍ୟରେ ମୋଟ୍‌ ୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏସ୍‌ଏଚ୍‌ଜିଗୁଡିକୁ ଏହାର ଅଂଶ ୧୨ରୁ ୧୩% ରହିଛି। ଏହାକୁ ବଢାଇବା ଦିଗରେ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟ କରିବା ଉଚିତ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସ୍ଥାନୀୟ ଚନ୍ଦ୍ରଶେଖରପୁରଠାରେ ଏସ୍‌ବିଆଇ ଆନୁକୁଲ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କରି ସେ କହିଛନ୍ତି, ରାଜ୍ୟର ଅଧିକାଂଶ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ରହିଛି। ଆଗାମୀ ଗୋଟିଏ ବର୍ଷ ବର୍ଷରେ ସବୁ ପରିବାରକୁ ବ୍ୟାଙ୍କ ଖାତା ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି କରିବା ଦିଗରେ ବ୍ୟାଙ୍କ ଯୋଗଦାନ ରଖନ୍ତୁ। ରାଜ୍ୟରେ ଏବେ ମଧ୍ୟ ୪୦ ଲକ୍ଷ ଲୋକଙ୍କ ନିକଟରେ ଭଲ ବାସଗୃହ ନାହିଁ। ବ୍ୟାଙ୍କଗୁଡିକ ଏକ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ରହିଛି। ଓଡ଼ିଶାରେ ଅଧିକ ସଂଖ୍ୟକ ବ୍ୟାଙ୍କ ଖୋଲିବା ଲାଗି ଅର୍ଥମନ୍ତ୍ରଣାଳୟକୁ ସେ ଚିଠି ଲେଖିଥିବା କହିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ୩୦ ସେକେଣ୍ଡରରେ ୫୦ ହଜାର ଟଙ୍କାର ଋଣ ମିଳି ପାରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ସେ ୨୬୦୬ ଜଣଙ୍କୁ ମୋଟ ୧୬୬.୧୧ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଛନ୍ତି।
ସାଧାରଣ ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇ ଆର୍ଥତ୍କ ଗତିବିଧିକୁ ମଜଭୁତ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ସେହିଭଳି ଦେଶର ବିକାଶ ଦିଗରେ ବ୍ୟାଙ୍କଗୁଡିକ ସାଧାଣର ଲୋକଙ୍କୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୂଚନା ଯୋଗ୍ୟ ଦେଶର ୪୦୦ ଜିଲାରେ ଋଣ ମେଳା ଆୟୋଜନ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ୬ ଜିଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ରେଳ ଅଡିଟୋରିମଠାରେ ଅନୁଷ୍ଠିତ ମେଳାରେ ୧୮ ବ୍ୟାଙ୍କ ଏବଂ ୪ ଘରୋଇ ବ୍ୟାଙ୍କ ପ୍ରତିଷ୍ଠାନ ନିଜର ଷ୍ଟଲ ସ୍ଥାପନ କରି ଲୋକଙ୍କୁ ଋଣ ଯୋଗାଇ ଦେଉଛନ୍ତି। କାର୍ଯ୍ୟକ୍ରମ ଅବସରରେ ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ନାବାର୍ଡ ସିଜିଏମ୍‌ ଏ.ଚନ୍ଦ୍ରଶେଖର , ଆଇଓସିଏଲ୍‌ ସିଜିଏମ୍‌ ଶୁଭଜିତ ଘୋଷ, ଏସ୍‌ବିଆଇ ଜିଏମ୍‌ ସିଏଲ୍‌ଏନ୍‌ ଚାରୟୁଲୁ, ଏସ୍‌ଏଲ୍‌ବିସି କନଭେନର ଟି.ଆର୍‌.ଚୋକଲିଙ୍ଗମ, ଏସ୍‌ବିଆଇ ଡିଜିଏମ୍‌ ଡି.ସି.ବଳ, ଡିଜିଏମ୍‌ ଆନନ୍ଦ ବିକ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

Share