ଏସ୍‌ଏଚ୍‌ଜି ଅର୍ଥ ହଡ଼ପ ମାମଲା: ସ୍ବାମୀ ଜେଲ୍‌ ଗଲେ, ସ୍ତ୍ରୀ ଫେରାର

ରୂପ୍‌ସା, ୧୭।୯(ଡି.ଏନ.ଏ.)-ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି)ରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ବାଖରାବାଦ ଗ୍ରାମର ଅଭିଯୁକ୍ତ ରମେଶ ରାଉତଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର ରାତିରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁୁ ପଠାଯାଇଛି।
ଗ୍ରାମର ବିଭିନ୍ନ ଏସ୍‌ଏଚ୍‌ଜି ସଭ୍ୟାଙ୍କ ଲକ୍ଷାଧିକ ଟଙ୍କା ଋଣ ରାଶି ମାସିକ କିସ୍ତି ବାବଦ ଅର୍ଥକୁ ରମେଶ ଓ ତାଙ୍କ ସ୍ତ୍ରୀ କବିତା ରାଉତ ମିଶି ହଡ଼ପ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ସାଇବାବା ଏସ୍‌ଏଚ୍‌ଜି ସଭାନେତ୍ରୀଙ୍କ ଅଭିଯୋଗକ୍ରମେ ଗତ ଜୁଲାଇ ୯ତାରିଖରେ ଏକ ମାମଲା (ନଂ. ୫୧/୧୯) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚ୍‌ଜିର ସମ୍ପାଦିକା ମଞ୍ଜୁଲତା ଲେଙ୍କାଙ୍କ ଅଭିଯୋଗକ୍ରମେ ଅନ୍ୟ ଏକ ମାମଲା (ନଂ. ୫୦/୧୯) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଲକ୍ଷାଧିକ ଟଙ୍କା ନେଇ ଉଭୟ ସ୍ବାମୀ, ସ୍ତ୍ରୀ ଗାଁ ଛାଡ଼ି ବାଲେଶ୍ୱରରେ ଘରଭଡ଼ା ନେଇ ରହୁଥିବାରୁ ମହିଳା ଗୋଷ୍ଠୀର ସଭ୍ୟାଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ବର୍ଷେ ହେବ କୌଣସି ପଇସା ପରିଶୋଧ ନ କରିବାରୁ ମହିଳାମାନେ ଜିଲାପାଳ ଓ ଥାନାରେ ଅଭିଯୋଗ କରିଥିଲେ। ୨ମାସ ପରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଓ ଏଏସ୍‌ଆଇ ନରହରି ମହାଳିକ ଚଢ଼ାଉ କରି ବାଲେଶ୍ୱରର କୁରୁଡ଼ା ଛକଠାରୁ ସ୍ବାମୀ ରମେଶ ରାଉତଙ୍କୁ ଗିରଫ କରିଥିବାବେଳେ ତାଙ୍କ ସ୍ତ୍ରୀ ଫେରାର ଥିବା ପୋଲିସ କହିଛି।