ଏସ୍‌ଏଚ୍‌ଜି କିଣିବେ ଲଘୁ ବନଜାତ ଦ୍ରବ୍ୟ

ସମ୍ବଲପୁର,୧୮।୫(ବ୍ୟୁରୋ): ଆଦିବାସୀମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଉପଯୁକ୍ତ ବଜାର ନ ଥିବାରୁ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଲାଗି ରହୁଛି। ଏହାକୁ ଆଖି ଆଗରେ ରଖି ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ସମ୍ବଲପୁର ଜିଲାରେ ଏସ୍‌ଏଚ୍‌ଜି ମହିଳାମାନେ ଏବେ ସେହି ସାମଗ୍ରୀ କିଣିବେ ବୋଲି ଘୋଷଣା କରାଯାଇଛି। ଏଥିପାଇଁ ଜିଲାର ୩ଶହ ଏସ୍‌ଏଚ୍‌ଜିକୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ସୋମବାର ଜିଲାରେ ଏକ ସଚେତନ ରଥର ଶୁଭାରମ୍ଭ କରାଯିବା ସହ ଉପରୋକ୍ତ ସାମଗ୍ରୀ ସଂଗ୍ରହ ଆରମ୍ଭ ହୋଇଛି । ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଇଛି। ଫଳରେ ଆଦିବାସୀ ପରିବାରମାନେ ଉଚିତ୍‌ ଦର ପାଇପାରିବେ । ଏ ସଂକ୍ରାନ୍ତରେ ଆଦିବାସୀମାନଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଜିଲାପାଳ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଡିଏଫ୍‌ଓ ଡ. ସଞ୍ଜୀତ କୁମାର ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ବାମରା, ଯୁଯୁମୁରା, ରେଢାଖୋଲ, ନାକଟିଦେଉଳ, ଜମନକିରା, ରେଙ୍ଗାଲି ବ୍ଳକରେ ଏହି ରଥ ବୁଲି ବୁଲି ସଚେତନ କରିବ ।
ବାମରା ବ୍ଲକରେ ୨୬୦ କୁଇଣ୍ଟାଲ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଆଦିବାସୀଙ୍କ ସହିତ ଏସ୍‌ଏଚ୍‌ଜି ମହିଳାମାନେ ବି ଲାଭବାନ ହେବେ । ଏସ୍‌ଏଚ୍‌ଜି ମହିଳାମାନେ ନିଜେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରି ପାରିବେ। ଏହା ସହ ଗ୍ରାମରେ ଅନ୍ୟମାନଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ କିଣି ନିଗମକୁ ବିକ୍ରି କରିବେ ।
ଏ ସମ୍ପର୍କରେ ଡିଏଫ୍‌ଓ କୁମାର କହିଛନ୍ତି, ଜଙ୍ଗଲଜାତ ଦବ୍ୟ ଠିକ୍‌ ସମୟରେ ସଂଗ୍ରହ ନ ହେବାରୁ ତାହା ନଷ୍ଟ ହେଉଥିଲା । ଆବଶ୍ୟକ ବଜାର ଓ ଦର ନ ଥିବାରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ କେହି ଇଚ୍ଛା ପ୍ରକାଶ କରୁ ନ ଥିଲେ । ଏବେ ଦରଦାମ ଓ ବିକ୍ରି ଉପରେ ସମସ୍ତଙ୍କୁ ସଚେତନ କରାଯାଉଛି । ଏଥିଯୋଗୁ କେହି ଠକେଇର ଶିକାର ହେବେ ନାହିଁ। ବିଶେଷ କରି ଶାଳ ମଞ୍ଜି, ହରିଡା, ବାହାଡା, ତେନ୍ତୁଳି ମଞ୍ଜି, କରଞ୍ଜ ମଞ୍ଜି, ନିମ୍ବ ମଞ୍ଜି, କୁସୁମ ମଞ୍ଜି, ଚାର ମଞ୍ଜି, ମହୁଲ ମଞ୍ଜି ( ଟୋଳ), ଫୁଲ ଝାଡୁ, ଭୂଇଁ ଲିମ୍ବ, ଜଙ୍ଗଲ ମହୁ ଆଦି ବିକ୍ରି ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତି ପଞ୍ଚାୟତରେ ୩ ରୁ ୪ ଏସ୍‌ଏଚ୍‌ଜିକୁ ଏଥିରେ ସାମିଲ କରାଯାଇଛି । ଶାଳ, ବାହାଡା, ଅଁଳା ମଞ୍ଜି ସଂଗ୍ରହ କରିବା ପାଇଁ ପ୍ରାୟ ୩ ଶହ ଏସ୍‌ଏଚ୍‌ଜି ନାମ ପଞ୍ଜିକରଣ କରିଛନ୍ତି । ମହିଳାମାନେ ଉପରୋକ୍ତ ସାମଗ୍ରୀ କିଣାବିକା କଲେ ନିଜ ପରିବାର ସହିତ ଅଞ୍ଚଳର ବିକାଶ ହେବ ବୋଲି କହିଥିଲେ ।

 

Share