ଏସ୍‌ଟିଏଫ୍‌ ଅଭିଯାନ ପରେ ଚେତିଲା କମିଶନରେଟ୍‌ ପୋଲିସ: ହଳଦୀପଡ଼ିଆ ବସ୍ତିରେ ୬ ନିଶା ବ୍ୟବସାୟୀଙ୍କ ଘର ଭାଙ୍ଗିଲା

କଟକ ରୋଡ, ୨୯।୭(ଡି.ଏନ୍‌.ଏ.): ରାଜଧାନୀର ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀପଡ଼ିଆ ବସ୍ତିରେ ବେଧଡ଼କ ବ୍ରାଉନ୍‌ସୁଗାର ବ୍ୟବସାୟ ଚାଲିଛି। ଦୀର୍ଘ ୧୦ବର୍ଷ ଧରି ଏଭଳି ବେଆଇନ ବ୍ୟବସାୟ ବଢ଼ି ଚାଲିଥିବା ବେଳେ କମିଶନରେଟ ପୋଲିସ ଏହା ଉପରେ ରୋକ ଲଗାଇପାରୁ ନ ଥିଲା। ଗତ କିଛିଦିନ ପୂର୍ବେ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଜବରଦଖଲ ଘର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ଭାଙ୍ଗିବା ପରେ ଭୁବନେଶ୍ୱର ପୋଲିସ ଶେଷରେ ହଳଦୀପଡ଼ିଆ ବସ୍ତିରେ ସୋମବାର ୬ ନିଶା ବ୍ୟବସାୟୀଙ୍କ ଘର ଭାଙ୍ଗିବା ପାଇଁ ପଦକ୍ଷେପ ନେଇଛି। ଏ ନେଇ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କମିଶନରେଟ ପୋଲିସ ଅଧିକାରୀଙ୍କ ସହ ବିଡିଓ ବସ୍ତିରେ ପହଞ୍ଚି କ୍ରମାନ୍ବୟ ଭାବେ ଘର ଭାଙ୍ଗିବା ଆରମ୍ଭ କରିଥିଲା। ତେବେ ପୋଲିସର ଏଭଳି ଘଟଣାକୁ ବସ୍ତିବାସିନ୍ଦା କିଛି ମାତ୍ରାରେ ସମର୍ଥନ କରୁଥିବା ବେଳେ ଏହି ପଦକ୍ଷେପ ନେବାରେ ବହୁ ବିଳମ୍ବ ଘଟିଲା ବୋଲି ହଳଦୀପଡ଼ିଆ ବସ୍ତି ସଭାପତି ମନସୁର ଖାନ୍‌ କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ବସ୍ତିବାସିନ୍ଦା ରାମସିଂଙ୍କ କହିବା ଅନୁଯାୟୀ କେବଳ ୬ ନୁହେଁ ବରଂ ଆହୁରି ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବ୍ରାଉନ୍‌ସୁଗାର ବ୍ୟବସାୟରେ ସାମିଲ ଅଛନ୍ତି। ସେମାନଙ୍କ ଉପରେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସେ କହିଛନ୍ତି।

Share