Categories: ଖେଳ

ଏସ୍‌ଡିସି କପ୍‌ ୨୦୨୦: ମହିଳା, ପୁରୁଷ ବର୍ଗରେ ସୁନ୍ଦରଗଡ଼ ଚାମ୍ପିୟନ

କଟକ ଅଫିସ,୬ା୩-  ରାଜ୍ୟ ସରକାରଙ୍କ ସ୍ପେସାଲ ଡେଭଲପମେଣ୍ଟ କାଉନସିଲ(ଏସ୍‌ଡିସି) ଓ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏସ୍‌ଡିସି କପ୍‌-୨୦୨୦ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ବାରବାଟୀ ଷ୍ଟାଡିୟମରେ ଉଭୟ ପୁରୁଷ ଓ ମହିଳା ବର୍ଗର ଫାଇନାଲ ଖେଳା ଯାଇଥିଲା। ଏଥିରେ ସୁନ୍ଦରଗଡ଼ ଉଭୟ ବର୍ଗରେ ଚାମ୍ପିୟନ ହୋଇଛି।
ମହିଳା ବର୍ଗର ଫାଇନାଲରେ ସୁନ୍ଦରଗଡ଼ ୨-୦ ଗୋଲରେ ରାଇରଙ୍ଗପୁରକୁ ପରାସ୍ତ କରିଥିଲା। ପ୍ରଥମାର୍ଦ୍ଧର ୩୭ତମ ମିନିଟରେ ଅଞ୍ଜଳି ବରୁଆ ଓ ଦ୍ୱିତୀୟାର୍ଦ୍ଧର ୬୭ତମ ମିନିଟରେ ରଜନୀ ହାଁସଦା ସୁନ୍ଦରଗଡ଼ ପକ୍ଷରୁ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପୁରୁଷ ବର୍ଗର ଫାଇନାଲ ମୁକାବିଲା ସୁନ୍ଦରଗଡ଼ ଓ ବାରିପଦା ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍‌କୁ ସୁନ୍ଦରଗଡ଼ ୪-୧ ଗୋଲରେ ଜିତିଛି। ପ୍ରଥମାର୍ଦ୍ଧର ୬ଷ୍ଠ ମିନିଟରେ କିଶୋର ଖାଡ଼ିଆ ସୁନ୍ଦରଗଡ଼ ନିମନ୍ତେ ପ୍ରଥମ ଗୋଲ ଦେଇଥିଲେ। ପରେ ମୁକେଶ ମିଞ୍ଜ ୩୦ତମ ମିନିଟରେ ଓ ମହେଶ ପ୍ରଧାନ ୪୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେବା ଫଳରେ ପ୍ରଥମାର୍ଦ୍ଧର ଖେଳରେ ସୁନ୍ଦରଗଡ଼ ୩-୦ରେ ଅଗ୍ରଣୀ ନେଇଥିଲା। ଦ୍ୱିତୀୟାର୍ଦ୍ଧର ୫୪ତମ ମିନିଟରେ ଗୋଟିଏ ଗୋଲ ସୁଝିଥିଲା ବାରିପଦା। ଦୁର୍ଗା ପ୍ରସାଦ ନାୟକ ଏହି ଗୋଲ ସ୍କୋର କରିଥିଲେ। ୬୦ତମ ମିନିଟରେ ସୁନ୍ଦରଗଡ଼ର କିଶୋର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେବା ସହିତ ଦଳକୁ ୪-୧ରେ ଅଗ୍ରଣୀ କରାଇଥିଲେ। ଅବଶିଷ୍ଟ ସମୟରେ କୌଣସି ଗୋଲ ନହେବାରୁ ସୁନ୍ଦରଗଡ଼ ବିଜୟ ହାସଲ କରିଛି। ପୁରୁଷ ବର୍ଗରେ ମୋହନ ମାଝୀ ଓ ମହିଳା ବର୍ଗରେ ମୁନିକା ମିଞ୍ଜ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ପୁରୁଷ ବର୍ଗରେ କିଶୋର ଖାଡ଼ିଆ ଓ ମହିଳା ବର୍ଗରେ ଡିଗି ମାଝୀ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି, ପୁରୁଷ ବର୍ଗରେ ଭଗରାଇ ହେମ୍ବ୍ରମ ଓ ମହିଳା ବର୍ଗରେ ଜ୍ୟୋତ୍ସ୍ନା ଟପ୍ପୋ ଶ୍ରେଷ୍ଠ ଗୋଲକିପର ଭାବେ ପୁରସ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ, ପଛୁଆବର୍ଗ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଏସ୍‌ଡିସି ଉପଦେଷ୍ଟା ସୁଜିତ କୁମାର, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

Share