ଏସ୍‌ପିଙ୍କ ଅଫିସ ସମ୍ମୁଖରେ ନିର୍ଯାତିତା ମା’ ଝିଅଙ୍କ ଧାରଣା

ଭଦ୍ରକ ଅଫିସ, ୧୨।୬: ପୋଲିସ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ଜଣେ ନିର୍ଯାତିତା ମହିଳା ଓ ତାଙ୍କ ୫ ବର୍ଷର ଝିଅ ବୁଧବାର ଭଦ୍ରକ ଜିଲା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଏସ୍‌ପି ରାଜେଶ ପଣ୍ଡିତ ଉକ୍ତ ମହିଳାଙ୍କୁ ଡାକି ଚଳିତ ମାସ ଶେଷ ସୁଦ୍ଧା ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ସୂଚନା ମୁତାବକ ଭଦ୍ରକ ପୌରପାଳିକାର ୨୯ ନମ୍ବର ୱାର୍ଡର ଦୁର୍ଗାପୁର ମସ୍ତିସାହିର ସାଜିଆ ଖାତୁନ ୨୦୧୨ରେ ଗୁଜିଦରଡ଼ା ଫାଣ୍ଡି ଅନ୍ତର୍ଗତ ହବିବୁର ରାହେମାନ ଖଁ।ଙ୍କୁ ଭଲପାଇ ବାହା ହୋଇଥିଲେ। ୩ ବର୍ଷ ଠିକ୍‌ଠାକ୍‌ ଚାଲିଥିଲା। ୨୦୧୫ରେ ଶାଶୁଘରେ ତାଙ୍କୁ ଓ ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇ ମାରିଦେବାକୁ ଉଦ୍ୟମ କରାଯିବା ପରେ ସାଜିଆ ବାପଘରେ ରହିଆସୁଥିଲେ। ଏ ସମ୍ପର୍କରେ ସେ ଦୁଇବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଜିଦରଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଫାଣ୍ଡି ପୋଲିସ ଗୁରୁତ୍ୱ ନ ଦେଇ ମାମଲା ରୁଜୁ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ଉପରେ ଆସ୍ଥା ହରାଇ ଶେଷରେ ସେ ଏସ୍‌ପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଝିଅକୁ ଧରି ଧାରଣାରେ ବସିଥିବା କହିଥିଲେ। ଏସ୍‌ପି ରାଜେଶ ପଣ୍ଡିତ ଫାଣ୍ଡି ପୋଲିସ, ଗ୍ରାମାଞ୍ଚଳ ଥାନା ପୋଲିସ ଓ ମହିଳାଙ୍କୁ ଡକାଇ ଆଲୋଚନା କରିବା ପରେ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share