ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଜବରଦଖଲ ହଟିଲା

ଆସିକା,୧୮ା୧୦ (ଡି.ଏନ୍‌.ଏ.)- ଆସିକା ସରକାରୀ ଡାକ୍ତରଖାନା ସଂଲଗ୍ନ ବାଣୀବିହାର କଲ୍ୟାଣ ମଣ୍ଡପ ଠାରୁ ଡାକ୍ତରଖାନା ପାଚେରୀ ଯାଏ ଜବରଦଖଲକୁ ଗୁରୁବାର ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଏହାଛଡା ଆସିକା ସରକାରୀ ଡାକ୍ତରଖାନାରେ ଚାରିପଟେ ଥିବା ଭଙ୍ଗାରୁଜା ପାଚେରୀକୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ସର୍ବସାଧାରଣ ରାସ୍ତା ଉପରେ ଦୀର୍ଘଦିନ ଧରି କବ୍‌ଜା କରି ରଖାଯାଇଥିବା ଏକ ବଡ ଜେନେରେଟରକୁ ମଧ୍ୟ ଜବତ କରାଯାଇଛି। ଆସିକା ପୋଲିସ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ସଶସ୍ତ୍ର ପୋଲିସ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ସୂଚନା ଯୋଗ୍ୟ, ଆସିକା ସରକାରୀ ଡାକ୍ତରଖାନା ଚର୍ତୁପାର୍ଶ୍ୱରେ ଥିବା ମୁକୁଳା ପାଚେରୀ ଦେଇ କେତେକ ଔଷଧ ଦୋକାନୀ ସେମାନଙ୍କ ଦଲାଲ ମାଧ୍ୟମରେ ଡାକ୍ତରଖାନା ଭିତରେ ରୀତିମତ ରୋଗୀଙ୍କ ହାତରୁ ଔଷଧ ଚିଠା ଟାଣି ନେଇ ସେମାନଙ୍କ ଔଷଧ ଦୋକାନ ଓ ପୋଥୋଲୋଜି କ୍ଲିନିକ୍‌ ମାଧ୍ୟମରେ ଶୋଷଣ କରି ଆସୁଥିଲେ। ଏପରିକି ଏହି ବସ୍ତିର ସର୍ବସାଧାରଣ ନାଳ ନର୍ଦ୍ଦମାକୁ ମଧ୍ୟ ଡାକ୍ତରଖାନା ପରିସରକୁ ଛାଡିଦେଉଥିଲେ। ଫଳରେ ଡାକ୍ତରଖାନା ପରିସରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିଲେ। ଗତ ସୋମବାର ଗଂଜାମ ଏସ୍‌.ପି. ବ୍ରିଜେଶ୍‌ କୁମାର ରଏ ଅଚାନକ ଆସିକା ଡାକ୍ତରଖାନା ପରିଦର୍ଶନରେ ଆସିଥିବାବେଳେ ଏସବୁ ତାଙ୍କ ଦୃଷ୍ଟିକୁ ଆସିଥିଲା। ତୁରନ୍ତ ଏଥିରେ ସୁଧାର ଲାଗି ସେ ନିର୍ଦ୍ଦେଶ ଦେଇଥିଲେ।