ଏସ୍‌ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ପୁଅଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ସେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲେ। ଏସ୍‌ପି କୌଣସି କାମରେ ବ୍ୟସ୍ତ ଥିବାରୁ ତାଙ୍କୁ ମୀନାକ୍ଷୀ ଭେଟି ପାରି ନ ଥିଲେ। ଏଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କଠାରୁ ନ୍ୟାୟ ନ ପାଇବାରୁ ମୀନାକ୍ଷୀ ଏକ ବ୍ୟାଗରେ ଧରିଥିବା କିରୋସିନ ଦେହରେ ଢାଳି ନିଅଁ। ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡିଯାଇଥିବା ଡାକ୍ତର କହିଛନ୍ତି । ସେଠାରେ ଡାକ୍ତର ମୀନାକ୍ଷୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ (ଡାଇଙ୍ଗ ଡିକ୍ଲାରେଶନ) ନେଇଛନ୍ତି। ଏମ୍‌କେସିଜି ମେଡିକାଲରେ ବର୍ନ ୟୁନିଟ ନ ଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ମୀନାକ୍ଷୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ବଡ ମେଡିକାଲରେ ପହଞ୍ଚି ଡାକ୍ତରଙ୍କଠାରୁ ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ। ପରେ ଏସ୍‌ପି ଖବରଦାତାଙ୍କୁ କହିଛନ୍ତି, ମୀନାକ୍ଷୀ ବୁଧବାର ମୋ କାର୍ଯ୍ୟାଳୟକୁ ଆସିଥିଲେ। ମୁଁ ଅନ୍ୟ ଏକ କାମରେ ବ୍ୟସ୍ତ ଥିବାରୁ ସେ ଏଏସ୍‌ପିଙ୍କୁ ଭେଟିଥିଲେ। ଏଏସ୍‌ପି ଘଟଣାର ଠିକ ତଦନ୍ତ କରାଯିବ ବୋଲି କହିଥିଲେ। ସେଠାରୁ ଫେରି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Share