ଏସ୍‌ପି, ଡିଆଇଜିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୧୨।୬(ବ୍ୟୁରୋ): କରୋନା ମୁକାବିଲାରେ ଆଗ ଧାଡ଼ିର ଯୋଦ୍ଧା ଭାବେ କାମ କରୁଛନ୍ତି ପୋଲିସ କର୍ମଚାରୀ। ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟରେ କିଛି ପୋଲିସ ସଂକ୍ରମିତ ହେଉଥିବା ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲାର ଏସ୍‌ପି ଓ ରେଞ୍ଜ ଡିଆଇଜିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆଲୋଚନା କରୁଛନ୍ତି। କରୋନା ସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଆଲୋଚନା କରୁଥିବା ସୂଚନା ମିଳିଛି। ଏଥିସହ ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସାକୁ ନେଇ ଅଭିଯୋଗ ଆସିଥିବାରୁ ସେ ଉପରେ ମଧ୍ୟ ଆଲୋଚନା ହେଉଛି।

ଓଡ଼ିଶାକୁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଫେରି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେଠାରେ ପୋଲିସମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। କୋଭିଡ ମୁକାବିଲାରେ ପୋଲିସଙ୍କ ଭୂମିକାକୁ ନଜର ରଖି ମୁଖ୍ୟମନ୍ତ୍ରୀ ଏହି ଆଲୋଚନା କରୁଛନ୍ତି। ଆଗାମୀ ସମୟରେ କରୋନା ସହ ଜିଇଁବାକୁ ପଡ଼ିବ। ଏଣୁ ପୋଲିସମାନେ କିଭଳି ସତର୍କ ରହି କାର୍ଯ୍ୟ ନିର୍ବାହ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବେ ବୋଲି କୁହାଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କୋଭିଡ ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଲାଗି ମୁଖ୍ୟମନ୍ତ୍ରୀ କଥା ହେଉଥିବା ସୂଚନା ମିଳିଛି।

Share