ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଆତଙ୍କବାଦୀ ମୁକାବିଲା: ସମ୍ଭାବ୍ୟ ଆକ୍ରମଣ ନେଇ ମକ୍‌ ଡ୍ରିଲ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ପରିସରରେ ଶୁକ୍ରବାର ସକାଳର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ୟବସାୟିକ କେନ୍ଦ୍ରରେ ଗ୍ରାହକଙ୍କ ଗହଳି ପରିବର୍ତ୍ତେ ଆତଙ୍କବାଦୀଙ୍କ ସହ ପୋଲିସ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ର ମୁକାବିଲା ଚାଲିଥିଲା।
ପୂର୍ବାହ୍ନ ପ୍ରାୟ ୯ଟାରେ ଏହି ମଲ୍‌ରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଆତଙ୍କବାଦୀମାନେ ମଲ୍‌ରେ ପଶିଥିବା ପୋଲିସକୁ ଖବର ମିଳିଥିଲା। ସଙ୍ଗେସଙ୍ଗେ ଟାସ୍କଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌, ପୋଲିସ, ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ମଲ୍‌ରେ ପହଞ୍ଚତ୍ଥିଲେ। ଏହାପରେ ଆରମ୍ଭ ହୋଇଥିଲା ମିଶନ। ସତର୍କତାମୂଳକ ଭାବେ ଆଣ୍ଟି ଟେରରିଷ୍ଟ ଫୋର୍ସ ମଲ୍‌ ଭିତରକୁ ପ୍ରବେଶ କରି ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିଥିଲେ। ପରେ ବୋମା ନିଷ୍କ୍ରିୟ ଟିମ୍‌ ଆସି ଗୋଟିଏ ବୋମା ଥିବା ପେଟିକୁ ଜବତ କରିବା ସହ ବୋମା ନିଷ୍କ୍ରିୟ କରିଥିଲେ। ଅନ୍ୟପକ୍ଷରେ ଆତଙ୍କବାଦୀ ଆକ୍ରମଣ ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଏଥିସହ ଡ୍ରୋନ୍‌ ସାହାଯ୍ୟରେ ମଲ୍‌ର ପୂରା ଅଞ୍ଚଳକୁ ଛାନ୍‌ଭିନ୍‌ କରାଯାଇଥିଲା।
ସକାଳୁ ସକାଳୁ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ପରିସରରେ ଏଭଳି ଦୃଶ୍ୟ ଦେଖି ଲୋକେ ଡରି ଯାଇଥିଲେ। ମାତ୍ର ପରେ ଜାଣିବାକୁ ପାଇଥିଲେ ଯେ ଏହା ମକ୍‌ ଡ୍ରିଲ ଥିଲା। ଦେଶରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଶପିଂ ମଲ୍‌ରେ ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ତା’ର ମୁକାବିଲା କରାଯିବ, ମଲ୍‌ ଓ ଧନଜୀବନ ସୁରକ୍ଷା ସହ ଏଥିଲାଗି କିପରି ପ୍ରସ୍ତୁତ ହେବାକୁ ପଡ଼ିବ ସେଥିପାଇଁ ଏହି ମକ୍‌ ଡ୍ରିଲ ହୋଇଥିଲା। ବିଶେଷକରି ଆତଙ୍କବାଦୀମାନେ ବଡ ବଡ ଶପିଂମଲଗୁଡିକୁ ଟାର୍ଗେଟ କରିବା ଆଶଙ୍କା ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଏନ୍‌ଡିଆର୍‌ଏଫ୍‌ ଏବଂ ଫାୟାର ଅଫିସରମାନେ କହିଛନ୍ତି। ସୂଚନାଯୋଗ୍ୟ, ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏଭଳି ମକ୍‌ ଡ୍ରିଲ ଦ୍ୱିତୀୟ ଥର ପାଇଁ କରାଯାଇଛି।

Share