Categories: ବାଣିଜ୍ୟ

ଏସ୍‌ବିଆଇ କେନ୍ଦ୍ରୀୟ ବୋର୍ଡକୁ ମନୋନୀତ ହେଲେ ଦେବାଶିଷ ପଣ୍ଡା

ନୂଆଦିଲ୍ଳୀ,୨୬-୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆର୍ଥତ୍କ ସେବା ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ସରକାର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କେନ୍ଦ୍ରୀୟ ବୋର୍ଡକୁ ମନୋନୀତ କରିଛନ୍ତି। କେନ୍ଦ୍ରୀୟ ବୋର୍ଡରେ ସେ ନିର୍ଦ୍ଦେଶକ ଭାବେ କାମ କରିବେ ବୋଲି ଏସ୍‌ବିଆଇ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ତାଙ୍କ ପୂର୍ବରୁ ଏହି ପଦବୀରେ ମନୋନୀତ ପ୍ରତିନିଧି ଭାବେ ରବି ମିତ୍ତଲ ଅବସ୍ଥାପିତ ଥିଲେ। ମିତ୍ତଲଙ୍କୁ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ପଣ୍ଡା ୧୯୮୭ ବ୍ୟାଚ୍‌ ଉତ୍ତର ପ୍ରଦେଶ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ହୋଇଥିବା ବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଦେଶର ସର୍ବବୃହତ୍‌ ବ୍ୟାଙ୍କ ଏସ୍‌ବିଆଇର ନେଟ୍‌ ଲାଭ ଚଳିତ ଆର୍ଥତ୍କ ବର୍ଷ ସେପ୍ଟେମ୍ବର ତ୍ରୈମାସରେ ୨୧୮% ବୃଦ୍ଧି ଘଟି ୩୦୧୧.୭୩ କୋଟି ଟଙ୍କା ରହିଛି। ଗତ ବର୍ଷ ସମାନ ତ୍ରୈମାସରେ ଏହା ୯୪୪.୮୭ କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ସମ୍ପତ୍ତି ଗୁଣବତ୍ତାରେ ଏହି ସମୟରେ ଉନ୍ନତି ଆସିଥିବା ଏହା ସୂଚନା ଦେଇଛି। ବ୍ୟାଙ୍କର ମୋଟ୍‌ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ଅନୁପାତ ୭.୧୯% କମିଛି। ଏହାବାଦ ନେଟ୍‌ ଏନ୍‌ପିଏ ଅନୁପାତ ୨.୭୯% ରହିଛି।

Share