ଏସ୍‌ସିବିକୁ ସ୍ବୟଂଶାସିତ ମାନ୍ୟତା ଦାବି: ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

କଟକ ଅଫିସ, ୧୬।୧୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ସ୍ନାତକ ଛାତ୍ରୀଛାତ୍ରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ୟୁଜି ଛାତ୍ର ସଂସଦ ସଭାପତି ଦୀପକ କୁମାର ସାମଲ କହିଛନ୍ତି। ଗୁରୁବାର ଛାତ୍ରୀଛାତ୍ରଙ୍କ ତରଫରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ ବୌଠକ ବସିଥିଲା। ଏଥିରେ ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି, ଏସ୍‌ସିବି ମେଡିକାଲ ଡିନ୍‌ ଏବଂ ପ୍ରିନ୍ସପାଲ ଜୟଶ୍ରୀ ମହାନ୍ତି, ଏଫଏମ୍‌ଟି ପ୍ରଫେସର ରୀତା ସାହୁ ଉପସ୍ଥିତ ଥିବାବେଳେ ୟୁଜି ସଭାପତି ଦୀପକଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ। ବୈଠକ ପରେ କଲେଜର ପରୀକ୍ଷା ସୁପରିଚାଳନାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତ୍ତନ ଓ ପରୀକ୍ଷା ଖାତା ଦାଖଲ କରିବାର ୭ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବା ସହ ସାର୍ଟିଫିକେଟ ତୁରନ୍ତ ପ୍ରଦାନ କରିବାକୁ କୁଳପତି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

Share