ଏସ୍‌ସିବିରେ ଖୋଲିବ କରୋନା ସୂଚନା, ତାଲିମ କେନ୍ଦ୍ର

କଟକ ଅଫିସ୍‌,୧୫ା୪: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ କରୋନା ସମ୍ପର୍କରେ ତାଲିମ୍‌ ଏବଂ ସୂଚନା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ରାଜ୍ୟରେ ପ୍ର୍ରଥମ ବୋଲି କୁହାଯାଉଛି। ମଇକ୍ରୋବାୟୋଲୋଜି ବିଭାଗ ଅଧୀନ ଭାଇରାଲ ରିସର୍ଚ୍ଚ ଡାଇଗୋନେଷ୍ଟିକ ଲାବ(ଭିଆର୍‌ଡିଏଲ୍‌)ରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥି ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଟଙ୍କା ପାଇଁ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ଜିଲାପାଳ ଭବାନୀ ଶଙ୍କର ଚୟିନୀ ଅନୁରୋଧ କରିଥିଲେ। ଅନୁରୋଧ ପରେ ଏମ୍‌ପି ମହତାବ ଏହି ଟଙ୍କା ଏମ୍‌ପି ଲାଡ୍‌ରୁ ମଞ୍ଜୁର କରିଛନ୍ତି।
ସୂଚନାଯୋଗ୍ୟ, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଅଧିକାରୀମାନେ ହସ୍ପିଟାଲ ପରିସରରେ ଜବରଦଖଲରେ ଥିବା ଭିଆର୍‌ଡିଏଲ୍‌ର ଏଚ୍‌ଏଲ୍‌ଏଲ୍‌ ଗୃହରୁ ଅବରୋଧ ହଟାଇଥିଲେ। ସେହି ସ୍ଥାନରେ କରୋନା ସମ୍ବନ୍ଧୀୟ ସୂଚନା ଓ ତାଲିମ ପ୍ରଦାନ କରାଯିବ ବୋଲି ଜିଲାପାଳ ଚୟନୀ ସ୍ଥିର କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲାପାଳ ଚୟନୀ ଏସ୍‌ସିବି ପରିଦର୍ଶନକରି ମାଇକ୍ରୋବାୟୋଲୋଜି ବିଭାଗ ପ୍ରଫେସର ଡ଼ା. ନିରୁପମା ଚୟନୀ ଏବଂ ଏସ୍‌ସିବି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡ଼ା. ଅନ୍ନଦା ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ ।
ଏମ୍‌ପି ମହତାବ ନିଜ ସଂସଦୀୟ କ୍ଷେତ୍ରର କେତେକ ଅଞ୍ଚଳରେ ଉନୟନ କାର୍ଯ୍ୟ ପାଇଁ ମଧ୍ୟ ୩୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମାଣିଆବନ୍ଧ, ବଡମ୍ବା, କାନପୁର, ନରସିଂହପୁର ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ କରୋନା ମୁକାବିଲା ପାଇଁ ଆବଶ୍ୟକ ଶଯ୍ୟା, ଭେଣ୍ଟିଲେଟର, ଏସି ଏବଂ ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ଯନ୍ତ୍ରପାତି ଆଦିର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଚୟନୀ ପ୍ରକାଶ କରିଛନ୍ତି ।

Share