ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା ପରୀକ୍ଷା ବେଳେ କରୋନା ପଜିଟିଭ୍‌ ମିଳିଥିଲା। ବୁଧବାର ଭୋରୁ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ଏଠାରେ ଆଇସୋଲେଶନ୍‌ ୱାର୍ଡ଼ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ଅନେକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ସମ୍ପୃକ୍ତ ଯୁବକଙ୍କ ପାଖରେ କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ଖାସ, ଛିଙ୍କ ନାହିଁ କିମ୍ବା ତାଙ୍କ ଶରୀରର ତାପମାତ୍ରା ମଧ୍ୟ ସ୍ବାଭାବିକ ରହିଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଥିଲେ ବି କୌଣସିି ସିମ୍‌ଟୋମାଟିକ ଟ୍ରିଟମେଣ୍ଟ ବା ଲକ୍ଷଣାଗତ ଚିକିତ୍ସା କରାଯାଇପାରୁନାହିଁ।
ଏହି ଯୁବକ ମାର୍ଚ୍ଚ ୧୮ରେ ବିମାନରେ ଦୁବାଇରୁ କୋଲକାତା ଆସିଥିଲେ। ସେହିଦିନ ସେଠାରୁ ଟ୍ୟାକ୍ସିରେ ହାୱଡା ଷ୍ଟେଶନ ଆସି ଟ୍ରେନରେ ଭଦ୍ରକ ପହଞ୍ଚତ୍ଥିଲେ। ଭଦ୍ରକ ଷ୍ଟେଶନରୁ ଅଟୋରେ ଘରକୁ ଫେରିଥିଲେ। ୩୦ ତାରିଖରେ ହୋମ କ୍ବାରେଣ୍ଟାଇନ୍‌ରେ ରହିବା ସହ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା। ୩୧ ତାରିଖରେ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

Share