ଏସ୍‌ସିବିରେ ଜାରି ରହିବ ଟେଲିମେଡିସିନ ସେବା

କଟକ ଅଫିସ,୧୦।୫: ଲକ୍‌ଡାଉନ ଶେଷ ହେବା ଯାଏ ଏସ୍‌ସିବିରେ ରୋଗୀମାନଙ୍କ ନିମନ୍ତେ ଜାରି ରହିବ ଟେଲିମେଡିସିନ ସେବା। ଏବେ ଏଠାକୁ ପହଞ୍ଚତ୍ ପାରୁ ନ ଥିବା ରୋଗୀମାନେ ନିଜ ଅଞ୍ଚଳରେ ଥାଇ ବି ନିର୍ବିଘ୍ନରେ ପାଇପାରିବେ ଡାକ୍ତରୀ ସେବା। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା କାରଣରୁ ସବୁଠି ଜୋନ (ଗ୍ରୀନ, ଅରେଞ୍ଜ ଓ ରେଡ)ସ୍ଥିତି ବି ଅସ୍ଥିର ରହିଛି। ଆଗାମୀ ଦିନରେ ଗମନାଗମନ ଆହୁରି ବହୁ ମାତ୍ରାରେ ପ୍ରଭାବିତ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଟେଲି ମେଡିସିନ ବିଭାଗର କଣ୍ଟ୍ରୋଲ ରୁମ୍‌ ଫୋନ୍‌ ନଂ ୦୬୭୧-୨୪୨୮୩୧୬ରେ ରୋଗୀମାନେ ଆବଶ୍ୟକ ସେବା ଲକ୍‌ଡାଉନ ଅବଧି ଶେଷ ହେବା ଯାଏ ପାଇପାରିବେ ବୋଲି ହସ୍ପିଟାଲର ଟେଲିମେଡିସିନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଣ୍ଟ୍ରୋଲ ରୁମ୍‌କୁ କଲ୍‌ କରିବା ପରେ ରୋଗୀଙ୍କୁ ଆବଶ୍ୟକ ଥିବା ବିଭାଗର ଡାକ୍ତରଙ୍କ ସହ ସମ୍ପର୍କ କରାଇ ଦିଆଯିବ। ଫଳରେ ରୋଗୀମାନ ହସ୍ପିଟାଲକୁ ନ ଆସି ଘରେ ଥାଇ ବି ଏହାର ସୁଫଳ ପାଇପାରିବେ।

Share