ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ମହିଳାଙ୍କ ମଳଦ୍ୱାରରୁ ବାହାରିଲା ବୋତଲ ମୁହଁ

କଟକ ଅଫିସ, ୫।୬:ଚୁଲିରେ ରୋଷେଇ କରୁଥିବା ବେଳେ ଚୁଲି ଭିତରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। କୌଣସି ପ୍ରକାରେ ଚୁଲି ଭିତରେ ଏକ କାଚ ବୋତଲ ରହି ଯାଇଥିଲା। ଚୁଲିରେ ଜାଳ ସଂଯୋଗ ପରେ ବୋତଲଟି ଫାଟିଥିଲାା ବୋତଲର ଅଗ୍ରଭାଗ ରୋଷେଇ କରୁଥିବା ମହିଳାଙ୍କ ମଳଦ୍ୱାର ଭିତରେ ପଶି ଯାଇଥିଲା। ମହିଳା ଜଣକ ରକ୍ତାକ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ବୋତଲ ପଶିଥିବା ଜାଗାକୁ ସିଲେଇ କରିବା ସହିତ ଡ୍ରେସିଂ କରି ଛାଡ଼ି ଦେଇଥିଲେ। ଘା ସୁଖି ଯାଇଥିଲା। ମାତ୍ର କିଛିଦିନ ପରେ ପୁନର୍ବାର ବୋତଲ ମୁହଁ ପଶିଥିବା ଜାଗାଟି ଯନ୍ତ୍ରଣା ଦେବା ସହିତ ସେଠାରୁ ପୁଜରକ୍ତ ବାହାରିଥିଲା। ପରିବାର ଲୋକେ ସମ୍ପୃକ୍ତ ମହିଳାଙ୍କୁ ୩ ଦିନ ତଳେ ଏସ୍‌ସିବି ମେଡିକାଲକୁ ଆଣିଥିଲେ। ମେଡିକାଲର ସର୍ଜରୀ ବିଭାଗରେ ସମ୍ପୃକ୍ତ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା। ବିଭାଗୀୟ ସହଯୋଗୀ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ମହିଳାଙ୍କ ମଳଦ୍ୱାର ଭିତରେ ଏକ କାଚବୋତଲ ମୁହଁ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଅପରେଶନ ପାଇଁ ଡାକ୍ତର ପଣ୍ଡା ପ୍ରସ୍ତୁତି ଆରମ୍ଭ କରିଥିଲେ। ଡାକ୍ତର ପଣ୍ଡାଙ୍କ ସହିତ ଡାକ୍ତର ରାଜେଶ ଦୋରା ଓ ଡାକ୍ତର ଚିତ୍ତ ପାଣିଗ୍ରାହୀଙ୍କୁ ନେଇ ଏକ ୮ ଜଣିଆ ଡାକ୍ତରୀ ଟିମ୍‌ ଗଠିତ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ ମହିଳାଙ୍କ ଅପରେଶନ କରାଯାଇଥିଲା। ୨ ଘଣ୍ଟାର ଅପରେଶନ ପରେ ମହିଳାଙ୍କ ମଳଦ୍ୱାରରେ ଅଢେଇ ଇଞ୍ଚ ଗୋଲେଇର କାଚବୋତଲ ମୁହଁଟି ବାହାର କରାଯାଇଥିଲା। ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ଘର ବାଲେଶ୍ୱର ଜିଲା ଔପଦା ଅଞ୍ଚଳରେ। ଗତ ନଭେମ୍ବର ମାସରେ ସେ ରୋଷେଇ କରୁଥିବା ବେଳେ ଏହି ଅଘଟଣଟି ଘଟିଥିଲା।